ଅମରାବତୀ
ଅମରାବତୀ
ଆସ ସଖୀ ଯିବା ବାରେ ମୋହର ପ୍ରିୟ ସରଗପୁର
ନଦନଦୀ ବଣ ପାହାଡ଼ ଘେରା ଅପହଞ୍ଚ ଦ୍ଵୀପାଞ୍ଚଳ
ନୁଆଁଣିଆ ଚାଳଘର ଝାଟିମାଟିର ଭଙ୍ଗା ଦଦରା କୂଟୀର
ଅଛି ସେଇ ପୁଣ୍ୟ ଭୁଇଁରେ ମୋ ଜନ୍ମସ୍ଥାନ ମୋ ଷଠିଘର।
ସତ୍ଯ ଏହା ନାହିଁ ସେଠି କିଛି ବିଶେଷ ସ୍ବାତନ୍ତ୍ର୍ଯ
ନାହିଁ କୁବେର ସମ୍ପଦ ଅବା ନାହିଁ ଇନ୍ଦ୍ରର ଐଶ୍ଵର୍ଯ୍ୟ
ମେହନତି ମଣିଷର ଲହୁରେ ଗଢା ମୋ ଅମରାବତୀ
ମୋର ପ୍ରିୟ ଭୂମି ମୋହରି ଗାଁର ପାବନ ମାଟି।
ଆଜି ବି ଜଳେନି ସେଠି ବିଜୁଳି ବତୀର ଆଲୁଅ
ସୂର୍ଯ୍ୟ ଚନ୍ଦ୍ର ଢାଳୁଥାନ୍ତି ସ୍ବେଚ୍ଛାରେ ଆପଣା କିରଣ
ଷଡଋତୁର ରମ୍ୟ ସମ୍ଭାରରେ ନାଚି ଉଠେ ଛାତି
ଫୁଟିଥାଏ ଯୁଇ ଜାଇ ହେନା ମାଳତୀ ସେବତୀ।
ମହାନଦୀର ଆଖିରେ ଆସିଲେ ଲୁହ ଜକେଇ
ନିଏ ଆମ ଘରଦ୍ବାର ଜମିବାଡ଼ି ସବୁ ଭସେଇ
ଧୋଇ ମରୁଡ଼ି ଝଡ଼ି ବର୍ଷା ସହିତ ଲଢି ଲଢି ନିତି
ଜୀଇଁବାର ମହାମନ୍ତ୍ର ଆମେ ତ ଯାଇଛୁ ଶିଖି।
ସତ କୁହ ସଖୀ ପାରିବ କି ତୁମେ ଚଳି ସେଠି
ଅଭିମାନ ଅଭିଯୋଗ ସକଳ ମନରୁ ବରଜି
ଧନେ ନୁହେଁ ମନେ ବଡ଼ ଏଠିକାର ମାଟିର ମଣିଷ
ବଚନେ କରମେ ଝରାଉଥାଆନ୍ତି ଆଶୀଷ ପୀୟୁଷ।