ଅମ୍ଳାନ ପ୍ରେମ
ଅମ୍ଳାନ ପ୍ରେମ
ପ୍ରେମ ଏକ ପରିକଳ୍ପନା
ଯେଉଁ କଳ୍ପନାରେ ଅଛି
ବଞ୍ଚିବାର ପୂର୍ଣ୍ଣ ସମ୍ମୋହନ,
ଯାହାର ସ୍ପର୍ଶ ରେ ଫୁଟେ,
ଅଫୁରନ୍ତ ପୁଷ୍ପ ର ଫୁଆର ,
ପୃଥିବୀର ବୁକୁ ଚିରି ବହି ଯାଏ
ଚୀରସ୍ରୋତା ନଦୀ।
କେଉଁ ମାଦକତା ପାଇଁ
ଆଜି ହୁଏ ଆନମନା,
ବାଟତାର କେଉଁ ଆଡେ ?
କାହାର ମିଳନ ଆଶେ-
ସ୍ରୋତସ୍ଵନୀ ସିଏ ଦିଗରୁ ବିଦିଗ
ଏତେ କଥା
ତାକୁ କିଛି ନ ଥାଏ ତ ଜଣା।
ଅମୃତ ଅମର ସିଏ,
ଯୁଗ ଯୁଗରୁ ଜୀବନ୍ତ,
ମୃତ୍ୟୁ ତାକୁ ଛୁଇଁ ନାହିଁ- କେବେ,
ପ୍ରଳୟର ପରିଭାଷା
ବୁଝେନାହି ପ୍ରେମ,
ଯୁଗାନ୍ତ ର ଲିଭାଇନି ସେ
ଦୁଇ ଅକ୍ଷର।
ଏବେବି ପଞ୍ଚମ ତାନେ
ସଦା ଗୁଞରିତ
ବସନ୍ତ ର ମଳୟ ପବନେ।
କାଳିମା ର କାଳି ବୋଳିହୋଇ
ସଦ୍ୟ ସ୍ନାତ ଉଜ୍ବଳିତ
ପୂର୍ଣ୍ଣ ଚନ୍ଦ୍ର ସେ ପୂର୍ଣ୍ଣିମା ତିଥିର
ଏବେବି ବାଜୁଛି ବଂଶୀ-
ସାତସୁରେ,
ରାଧା ଆନମନା।
ମାଦକ ପବନେ ଭରା
ସେ- ଯମୁନା ତଟ,
ତମାଳର ଶୀତଳତା
ଭରେ- ଶିହରଣ,
କଦମ୍ବ ର ପତ୍ର ଗହଳିରେ
ଶୁଭେପୁଣି କୋଇଲି ର
କୂହୁ କୂହୁ ସ୍ଵନ।
ଏବେବି ଅଧିର କରେ-
ଗୋପ ବଧୁ ମନ।
ପ୍ରେମ ସଦା ନୈସର୍ଗିକ
ସର୍ବଦା ଅମ୍ଳାନ।
ପୃଥିବୀର ମାଟି
ଆଉ ପାଣି ପବନରେ-
ସଦା ସିକ୍ତ ପ୍ରେମ ର ସୁରଭି,
ଆକାଶ ଠୁ ପୃଥିବୀର ଯାଏଁ
ପରିବ୍ୟାପ୍ତ ଅସୀମ ତା ବୁକୁ।
ସେ ନ ଥିଲେ
ଅସମ୍ଭବ ଗଗନରେ
ରବି ଆଉ ଶଶୀ।
ଅସମ୍ଭବ ବୃକ୍ଷଲତା,ଫଳପୁଷ୍ଫ
ଆଉ ପୁଣି ଜଗତେ ଜିବନ,
ଯେମିତି ମୋ ଅଧା ଥିଲେ-
ଗୀତଗୋବିନ୍ଦର ବିନା,
କଳାକାହ୍ନୁ ମୋ କଳାବଦନ।