ଅମାନିଆ ସେ ବରଷା
ଅମାନିଆ ସେ ବରଷା
ରିମ୍ ଝିମ୍ ବରଷାର ତାଳେ ତାଳେ
ପ୍ରିୟା ଘର ଅଗଣାରେ
ଝୁମି ଝୁମି ନାଚିବାକୁ ଚାହେଁ ମନ
ବର୍ଷା ଭିଜା ଶରୀରରେ
ଉସ୍ମତା ସହିତ ଶ୍ବାସ ରୋଧ ଭାବ
ପ୍ରିୟା ମନରେ ଉଦ୍ରେକ
କ୍ରମେ ଧୋଇ ଯାଏ ବର୍ଷାର ବୁନ୍ଦା ରେ
କିଏ କଲା କି କୁହୁକ !
କ୍ରମାଗତ ବର୍ଷା ଘର ଅଗଣାରେ
ପାଣି ଧାର ଧାରେ ଧାରେ
ନୂଆ ଉନ୍ମାଦନା ତନ ଓ ମନରେ
ଖୁସି ପ୍ରିୟାର ଭାବରେ
ମାଟିର ଭିଜା ବାସ୍ନାରେ ମହକ
ପ୍ରିୟା ବୁଝିବା ସ୍ଥିତିରେ
ସୁଢଳ ଶରୀରେ ଲହଡ଼ି ଉଠିଛି
ଫେନିଳ ଯୌବନ ଧାରେ
ନିଦାଘ ର ଜ୍ଵାଳା ପରେ ବର୍ଷା ବୁନ୍ଦା
କେତେ ଉପଶମ-କାରୀ
ଅନ୍ୟ ପ୍ରବଚନ ସହାୟତା ବିନା
ଆପେ ଜ୍ଞାତ ସର୍ବୋପରି
ବର୍ଷା ଧାରେ ପ୍ରିୟା ମନ ଅମାନିଆ
ପ୍ରତି ମୁହୂର୍ତ୍ତେ ଅଥୟ
ପରିବେଶ ଶାନ୍ତ ଶୀତଳ ସମୀରେ
ଉତ୍କଣ୍ଠା ଭରା ହୃଦୟ
ପ୍ରିୟା ବି ଜାଣିଛି ଖୁସିର ଲହରୀ
ଖେଳିବ ବର୍ଷାର ଧାରେ
ଇଶାରା କରିବ ଭିଜିବାକୁ ଥରେ
ପ୍ରେମିକର ଅଗୋଚରେ
ମତୁଆଲା ହେବ ପ୍ରେମିକ ପ୍ରବର
ବର୍ଷା ଭିଜା ଅଙ୍ଗ ଧାରେ
ପ୍ରୀତିର ମୂର୍ଚ୍ଛନା ତୋଳି ଧରିବାକୁ
ବାଧ୍ୟ କରିବ ପ୍ରେମରେ
ପ୍ରେମିକ ଭଅଁର ଗୁଣୁଗୁଣୁ ସ୍ୱରେ
ବୋଧେ ଭିଜୁଛି ବର୍ଷାରେ
ବେସୂରା ରାଗିଣୀ ତୋଳୁଛି କେଉଁଠି
ବର୍ଷା କହୁଛି କାନରେ
ସେ କାଳିଆ ଭଅଁର ହାତର ପରଶେ
କି ଯାଦୁ ରହିଛି ଭରି
ଛୁଇଁ ଦେଲେ ଥରେ ନିସ୍ତେଜ ଅଙ୍ଗରେ
ଶିହରଣ ସର୍ବୋପରି
ବର୍ଷା ଧାରେ ପୁରୁଣା ଦିନର ସ୍ମୃତି
ପ୍ରିୟା ମନେ ଉଜ୍ଜୀବିତ
ସେଇ ଅଗଣାରେ ପ୍ରେମିକ ପରଶ
ଥିଲା ବର୍ଷା ବିଜଡ଼ିତ
ସେଇ ସ୍ମୃତି ସହ ଆଜି ପ୍ରିୟା ମନ
ବର୍ଷା ଧାରେ ଛନ ଛନ
ବର୍ଷାର ସୁରାକ ମିଳିଲେ ପ୍ରେମିକ
ନିଶ୍ଚେ ଆସିବ ବହନ
ଝରୁଛି ବରଷା,ଝୁରୁଛି ପ୍ରେମିକା
ମନେ ଅସୁମାରୀ ଆଶା
ପ୍ରେମିକା ଛାତିର ଉଷ୍ମତା ମାପୁଛି
ଅମାନିଆ ସେ ବରଷା ।।

