ଅମାନିଆ ଓଢଣୀ
ଅମାନିଆ ଓଢଣୀ
ଉଡି ଉଡି ଯାଏ ତୋର ଏହି ଅମାନିଆ ଓଢଣୀ ,
କାହିଁକି ଏମିତି ହେଉଛି ସିଏ ,ଏବେ କାହିଁକି କେଜାଣି ?
ଆଗରୁ ଏମିତି କେବେ ସିଏ ହେବାର ଦେଖି ନାହିଁ ,
କହିବାକୁ ସତେ କଣ କିଛି ଚାହେଁ ଆମକୁ ସେହି ?
ପବନ ଆଗରୁ ଥିଲା ,ଥିଲା ସିଏ ତୁମ ଗଳାରେ,
ଏମିତି ଦେଖିନାହିଁ ତାକୁ କେବେ ବଡ଼ ଅମାନିଆ ହେବାରେ |
ଓଢଣୀ ପକାଇ ତୁମେ ଯେବେ ଆସି କିଛି କହୁଥିଲ,
ସେତେବେଳେ ସେହି ଓଢଣୀରେ, ତୁମ ତନୁକୁ ଘୋଡାଇ ରଖୁଥିଲ |
ତୁମର ସିଏ ଥିଲା ସାଥି ,ବନ୍ଧୁ ଆଉ ସହୋଦର ,
ବଡ଼ ସର୍ଗରେ ତାକୁ ତୁମେ କରୁଥିଲ କେତେ ଆଦର |
ମାନେ ଅଛି ଯେବେ ଭିଜି ଭିଜି ଆସୁଥିଲି ମୁହିଁ ,
ସେଇ ଓଢଣିରେ ଓଠକୁ ମୋର ପୋଛୁଥିଲା ତୁମେ ତହିଁ |
ଯେବେ ଆମେ ଦୁହେଁ ବସି ,ମନଖୋଲି ଗପୁଥିଲେ ପଡିଆରେ ,
ଆମକୁ ଲୁଚାଇ ରଖୁଥିଲ ତୁମେ ଏହି ଅମାନିଆ ଓଢଣିରେ |
ମନେଅଛି ମୋର ସେହି ସବୁ ଆମ୍ବ ବଗିଚାର କଥା ,
ଆମ୍ବ ତୋଳି ବାନ୍ଧୁଥିଲା ,ଅମାନିଆ ଓଢଣୀ କାନିରେ ସଦା |
ସବୁବେଳେ ତୁମ ସହ ରହିଥିଲା ଗଳାର ହାର ପରି ,
ଆଜି ପୁଣି କାହିଁକି ସିଏ ହୋଇଛି କେଜାଣି ଏହିପରି ?
ତୁମେ ସବୁ ଶୁଣି ଚାପା ଚାପା ହସରେ ଚାହିଁ ,
କିଛି କହିବାକୁ ମୋତେ ଚାହୁଁଚ ସତେ ଏବେ ସେଥିପାଇଁ |
ମନ ମୋର ଥିଲା ତୁମ ଅମାନିଆ ଓଢଣୀ ପାଖରେ ,
ବୁଝି ନପାରି ଖାଲି ଚାହିଁଥିଲି ତୁମକୁ ବିସ୍ମୟ ନାଆଁରେ |
ତୁମେ ଟିକେ ଅଭିମାନ କରି ,ବହୁତ ଲାଜେଇ ଗଲ,
ଲାଗିଲା ମୋତେ ତୁମ ଅମାନିଆ ଓଢଣୀ କରୁଛି କଲବଲ |
ଭାବିଲି ଆହୁରି ପାଶେ ଯାଇ ଅମାନିଆ ଓଢଣିକୁ ଧରିବି ,
ଆଜି କାହିଁକି ଏପରି ହେଉଛି ସିଏ ବୋଲି ପଚାରିବି |
ଯେବେ ଯାଇ ପାଶେ ଧରିଲି ତୁମର ଅମାନିଆ ଓଢଣିକୁ ,
ତୁମେ ତାକୁ ଛାଡ଼ିଦେଇ ,ମୋର ଛାତିରେ ଲୁଚାଇଲ ମୁହଁକୁ |
ଲାଗିଲା ମୋତେ ସତେ ,ବାନ୍ଧିଲା ଆମକୁ ଅମାନିଆ ଓଢଣୀ ,
ସେଥିପାଇଁ ବୋଧେ ଦେଖାଉଥିଲା ସିଏ ତାର ଏତେ ଠାଣି |
ସେହି ଅମାନିଆ ଓଢଣୀ ବାନ୍ଧିଲା ଆମକୁ ସବୁଦିନ ପାଇଁ ,
ଗଢ଼ିଲି ସଂସାର ଆନନ୍ଦରେ ,ମୋର ପ୍ରିୟାର ଓଢଣୀ ପାଇ |

