ଅମାବାସ୍ୟାର ଜହ୍ନ
ଅମାବାସ୍ୟାର ଜହ୍ନ
ଧର୍ଷିତା ,ଏକ ନାରୀ ର ଆତ୍ମ ବେଦନାର
କବିତା ସଂରଚନା
ନୁହେଁ ସେ ରୂପାଚାନ୍ଦ
କଳା ଜହ୍ନ ସେ କଳଙ୍କିନୀ
ହେଲେ କାହିଁକି ? କିଏ ବା ବୋଳିଦେଲା
ତା ଦେହରେ କଳଙ୍କର କାଳୀମା
କଣ, ବା ଥିଲା ଅପରାଧ ତାର
କେଉଁ ଅଧିକାରେ ଆସି ଲୁଟିନେଲ
ତା' ମିଠା ହସର ଜୋଛନା
ସନ୍ତୁଳିତ ହୋଇଯାଏ, ସେକଥାକୁ ଭାବି
ଆଖିରୁ ତା, ଝରିଯାଏ ଅଭିଶପ୍ତ ଲୁହ ।
କାଲିପରି ମନେପଡେ,ରୂପାଜହ୍ନ ଟିଏ ହୋଇ
ମାଟି ମା ' ଅଗଣାରେ ତା, ଶୀତଳ ଜ୍ୟୋସ୍ନାକୁ,
ହସିହସି ଦେଉଥିଲା ବିଛେଇ ।
ଝିଲ୍ ମିଲ୍ ତାରା ଭରା ଓଢ଼ଣୀ ଭିତରେ
କେତେ ସ୍ବପ୍ନ ,ସଞ୍ଚିଥିଲା ସେହି
ପୃଥିବୀର ଯେତେ ସଜୀବ ,ନିର୍ଜୀବ ପ୍ରାଣରେ
ଭରିଦେବା ପାଇଁ ତା ଆଲୋକ ଲାବଣ୍ୟ ତୃଷ୍ଣା
କୋଟି କୋଟି ପ୍ରାଣୀଙ୍କର ହେବାପାଇଁ
ପ୍ରଶଂସା ର ରାତ୍ରୀ ସେଇ ଜ୍ୟୋସ୍ନା ଭରା
ପୂର୍ଣ୍ଣମୀ ରାତିରେ
ଯେମିତିକି ତା'ବିନା ସବୁ ନିରର୍ଥକ
ସେ ନଥିଲେ ଲାଗୁଥାନ୍ତା ଅସମାପ୍ତ,
ତାରାଭରା ରାତିର ଆକାଶ !
ହେଲେ କାହିଁ,? କଉଠି ପୂର୍ଣ୍ଣହେଲା
ତାର ଗୋଟି ଗୋଟି ଦେଖିଥିବା ସ୍ୱପ୍ନ
ଆଶାଠାରୁ ବିଚ୍ଛେଦରେ କାଟିଲା ଜୀବନ
ପୂର୍ଣ୍ଣଚନ୍ଦ୍ର ରୂପେ ପ୍ରକାଶ ପାଇବା ଆଗରୁ,, ହିଁ
ଆସି ସେ ଅମାବାସ୍ୟା ରୂପୀ କଳାରାକ୍ଷସ
ଲୁଟିନେଲା ତା,ଦେହର ମୁଠା ମୁଠା ଲାବଣ୍ୟ ଆଭାକୁ।
ତା' ହାତର ତୀକ୍ଷ୍ଣ ନଖ ପଞ୍ଜାରେ
ତା ଓଠର ସବୁତକ ମଧୁରତା
ରକ୍ତପରି ପିଇଗଲା ତାର କଣ୍ଠଦ୍ଵାରରେ 🪷🪷🪷🪷🪷🪷
କରିନେଲା ବନ୍ଦୀନି, ବାନ୍ଧିଦେଇ ବେଡି
ତା, ପାଦରେ ଅମାବାସ୍ୟା ବନ୍ଦୀଶାଳାରେ
ବୋଳିଦେଇ ତା ମୁହଁରେ , କଳଙ୍କ ର କାଳୀମା
ଓଢଣୀକୁ ନେଲା ସେ ଛଡେଇ,
ଲୁଚିଗଲେ ତା ମଧ୍ୟରେ ଝିଲ୍ ମିଲ୍ କରୁଥିବା ତାରାଗଣେ
ଓଢ଼ଣୀ ଭିତରୁ ଗୋଟିଗୋଟି ହେଇ
ଅଦୃଶ୍ୟ ହୋଇଗଲା ସେ କଳା ରାକ୍ଷସ
ପୁନଃ ଅମା ଅନ୍ଧକାରରେ
ରୂପା ଚାନ୍ଦ ବିନା , ପାଲଟିଗଲା ପୂର୍ଣ୍ଣିମା ଅମାବାସ୍ୟା ରାତିରେ
ସେଦିନୁ ସେ ପୂର୍ଣ୍ଣମୀ ଚାନ୍ଦଟା, କାନ୍ଦେ ଏକା "କଳାଜହ୍ନ"ହୋଇ
ଦେଖେଇ ପାରେନା ଲାଜେ ତାର ମୁହଁ
ଧରିତ୍ରୀ ମା' ଅଗଣାରେ ଓହ୍ଲେଇ ।
ନିଜକୁ ଲୁଚେଇ ଅମାବାସ୍ୟା କାରାଗାରେ
କାନ୍ଦୁଥାଏ କଇଁକଇଁ ହେଇ
ଆଲୋକିତ ହୁଏନା ଦୁନିଆ
ତାର ମିଠା ଜୋଛନାରେ
ସ୍ପର୍ଶ ତା'ର କରେନା କିମିଆ
ସମଗ୍ର ପ୍ରାଣୀ ଜଗତକୁ
ଖୋଜେ ନାହିଁ, ତାକୁ ଆଉକେହି
କୁହୁଳୁଥାଏ ସେ ଅନ୍ତର ଭିତରେ
କହିପାରେନା ବିଶ୍ୱବାସୀଙ୍କୁ
ତା ମରମ ବେଦନାର ବ୍ୟଥା ।
ତା, ବୁକୁ ର କୋହ ଆଜି ତୁହାଇ ତୁହାଇ ଉଠୁଚି
ଆଊ ସେ ପଚାରୁଚି ତା, ନିଜକୁ
କ'ଣ ଏଇସବୁ ଘଟିବାକୁ ଥିଲା ତୋରି ସାଥିରେ
ଝରିପଡେ ତା ଆଖିରୁ
ଅବାରିତ ଉଷ୍ମ ଲୁହ ବିନ୍ଦୁ ଟିପ୍ ଟିପ୍
ଘୋର ଅନ୍ଧାରରେ, ଦୃଶ୍ୟମାନ ହୁଏନା କାହାକୁ , ତା ଲୋତକବିନ୍ଦୁ
ମିଳେନାହିଁ ସେ ଲୁହ ଆର୍ଦ୍ରତାର ସନ୍ଧାନ ! କାହାକୁ
ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ
ଅମାବାସ୍ୟାରେ, କ'ଣ ଫୁଟିଉଠେ? ଆକାଶରେ ଜହ୍ନ
ବିଶ୍ମୟକର ସତ୍ୟ କିନ୍ତୁ,,
ଆଜି ସ୍ୱପ୍ନରେ ନୁହେଁ, ସତରେ ପାଲଟି ଯାଇଛି
ଏ ବିଶ୍ୱବାସୀଙ୍କ ପାଇଁ
ଏକ " ଅମାବାସ୍ୟା " ର ଜହ୍ନ ।