ଅଳସୀ ଫଗୁଣ
ଅଳସୀ ଫଗୁଣ
ଫୁଲେଇ ଫଗୁଣ ଫେରିଗଲା ପରେ
ଦେଇଗଲା ଶେଷ ଚିଠି
ଚଇତି ଆସୁଛି ଚୈତାଳିକୁ ନେଇ
ସାଥେ ନେଇ ନୂଆ ଭେଟି ।
ମଧୁମୟ ହୋଇ ଉଠିବ ଧରଣୀ
ଗାଇବ ପ୍ରେମର ଗୀତି
ମଳୟ ବାଣ୍ଟିବ ହେନାର ସୁରଭି
ଜୀବନ୍ତ ଲାଗିବ ସ୍ମୁତି ।
ବଉଳ ବାସରେ ଦିଗ ଚହଟିବ
ପ୍ରାଣ ହେବ ପୁଲକିତ
କୋଇଲିର କୁହୁ ପଞ୍ଚମ ତାନଟି
ଲାଗେ ଭାରି ସୁଲଳିତ ।
କୃଷ୍ଣଚୁଡା ରଙ୍ଗ ଖେଳାଏ ତରଙ୍ଗ
ପ୍ରଣୟର ଅନୁରାଗ
ଗୋଲାପି ଓଠରେ ନବ ଶିହରଣ
ଅଳସ ଭରା ଆବେଗ ।
ହଳଦୀ ବସନ୍ତ ଉଡିଉଡି ବୁଲେ
ଡେଣାକୁ ତା ଲହରାଇ
ଦୁଷ୍ଟାମୀ କରଇ ପତ୍ର ଗହଳରେ
କଷି ଆମ୍ବ ସାଙ୍ଗ ପାଇ ।
ମଧୁ ମାଳତୀର ରୂପରେ ବିଭୋର
ପାଗଳ ସେ ପ୍ରଜାପତି
ଏଫୁଲ ସେ ଫୁଲ ଉଡି ବୁଲିବୁଲି
ଆନନ୍ଦିତ ହୁଏ ଅତି ।
ଫଗୁଣ ସଞ୍ଜ ର ମୃଦୁ ମଳୟରେ
ମନରେ ସପନ ଭରି
ବିମୋହିତ ହୁଏ ସଞ୍ଜୁଆ ମଲ୍ଲୀଟା
ହସୁଥାଏ କିରିକିରି ।
ଅଳସୀ ଫଗୁଣ ବାରତା ଦିଅଇ
ଦୋଳ ବିମାନର ହାତେ
ରାଧା ସଙ୍ଗେ କୃଷ୍ଣ ବିମାନେ ବୁଲନ୍ତି
ଅପୂର୍ବ କି ଦୃଶ୍ଯ ସତେ ।
ବରଷକେ ଆସେ ରଙ୍ଗର ପରବ
ଫଗୁ ଅବିରରେ ହୋଲି
ଭାଇଚାର ଭାବ ସଂପ୍ରୀତିର ବାର୍ତ୍ତା
ବାଣ୍ଟି ଦେଇ ଯାଏ ଚାଲି ।
ସଜ ଶିଶିରରେ ଘାସର ଗାଲିଚା
ଚୁନାଚୁନା ମୋତି ଫୁଲ
ଫଗୁଣ ସକାଳ ଚିଠିରେ ଲେଖଇ
କେତେ ସେ ପାଉଛି ଭଲ ।

