ଅଳସୀ କନ୍ୟା
ଅଳସୀ କନ୍ୟା
ହୃଦୟେ ହୃଦୟ ଥାପନ୍ତି ସାଥୀ
ଜୀବନେ ଯାତନା କିବା କଳନ୍ତି
ଭୁଲି ମୁଁ ଯାଆନ୍ତି ମରମ ଜ୍ୱାଳା
ଲଭନ୍ତି ସନ୍ତୋଷ ନବ ଛଇଳା
ଦିବସ ନିଶି ପ୍ରାଣ ପ୍ରେୟସୀ
ପ୍ରେମ ତରଙ୍ଗିଣୀ ତୁ ମୁଁ ପ୍ରେମ ପିପାସୀ l
ବିଧିର ବିଧାନ ବଡ଼ ବିଚିତ୍ର
ବିଧୃତ ସରସ ପ୍ରଣୟ ଗୀତ
କିଏ ଅବା କାହିଁ ଦେଲା ଆଘାତ
ଚୂରି ଦେଲା ସୁଖ, ଦୁଃଖ ବହୁତ
ଦେଲା କେ କହ ଏ ମର୍ମ ଦାହ
ନୟନୁଁ ସ୍ରବୁଛି ମୋର ଅଶ୍ରୁ ପ୍ରବାହ l
ସଯତ୍ନେ ସାଇତି ଅଛି ସେମିତି
ଗୋଲାପ ଚମ୍ପକ ଯୂଈ ସେବତୀ
ବକୁଳ କୁସୁମ ହେନା ମାଧବୀ
ସୁବର୍ଣ୍ଣ ଗ୍ରୀବାରେ ପିନ୍ଧାଇ ଦେବି
ହେଲା ବା କାହିଁ ମୋ ପ୍ରିୟ ସହୀ
ସ୍ପନ୍ଦନ ବଢେ ଜହ୍ନକୁ ଯେବେ ଦିଅଇ ଚାହିଁ l
ଜହ୍ନରୁ ଜୋଛନା ପଡ଼ଇ ଢାଳି
ତା ଦେଖି ସପନେ ହୁଅଇ ଭାଳି
ପାଶେ ବସି ଅବା ମନ୍ଦ ହାସରେ
ଚାହିଁ ଝରାଉଛୁ ଅଙ୍ଗ ବାସରେ
ହାୟ ରେ ସାଥୀ ବୃଥା ଏ ପ୍ରୀତି
ଯହିଁ ମୁଁ ଦେଖୁଛି ପ୍ରଣୟ ରୀତି ଆଣଇ ଭୀତି l

