ମାଟିରୁ ଆକାଶ
ମାଟିରୁ ଆକାଶ
ପକ୍ଷୀଠୁ ଶିଖିଛି ସ୍ୱାଧୀନ ବିହାର
ଝରଣା ଠୁ ମିଠା ଗୀତ
ମହୁମାଛି ଠାରୁ ଶିଖି ଲଭି ଅଛି
ଜ୍ଞାନ ମଧୁ -ଚକ୍ର ପଥ l
ଫୁଲଠୁ ଶିଖିଛି କୋମଳ ଭାବନା
ମହକ ଗୁଣ ଚେତନା
ଆକାଶର ରଂଗ ବତାଇ ଦେଇଛି
ନିର୍ମଳ ବ୍ୟାପ୍ତି ପ୍ରେରଣା l
ନଈଠୁ ଶିଖିଛି ଏକ ମୁଖୀନତା
ସାଗରଠୁ ଗଭୀରତା
ଭୂଧର ଦେଇଛି ଧୈର୍ଯ୍ୟ ଧରିବାକୁ
ପୃଥିବୀଠୁ ସହିଷ୍ଣୁତା l
ଜହ୍ନଠୁ ଆଣିଛି ଶୀତଳ ନରମ
ବିଶୁଦ୍ଧ ହୃଦୟ କଥା
ବୃକ୍ଷଠୁ ଶିଖିଛି ଦାନ ଦୟା କ୍ଷମା
ବୁଝିବାକୁ ଦୁଃଖୀ ବ୍ୟଥା l
ସୂର୍ଯ୍ୟଠୁ ଲଭିଛି ଜଗତ ପାଳନ
ମେଘଠୁ ମହ୍ଲାର ସ୍ୱର
କପୋତଠୁ ଶାନ୍ତି କୋଇଲିଠୁ ବାଣୀ
ବରିଅଛି ରାଗ ତାଳ l
ଶିଖିବାର ଯାହା ଶିଖୁଥିବି ବସି
ମନ୍ଦ କଥା ଦେବି ଛାଡ଼ି
ଆନନ୍ଦେ ବିଷାଦେ ସମଭାବେ ଥିବି
ବିନୟ ଭୂଷିତ ହୋଇ l
ଏ ଅମୃତ ସୃଷ୍ଟି ପାଠଶାଳା ମୋର
ଆନ ପାଠେ ମନ କାହିଁ
ମୋ ପାଶେ ଈଶ୍ୱର ପରମ ଆଚାର୍ଯ୍ୟ
ଥିଲେ କିଛି ଲୋଡ଼ା ନାହିଁ l
