ଅଲିଭା କ୍ଷଣ
ଅଲିଭା କ୍ଷଣ
ଛଳଛଳ ଆଖିରେ ଜକେଇ ହୋଇ ଆସୁଥିବା
ଅମାନିଆ ଲୁହ ଆଖିର ବନ୍ଧ ଡେଇଁ
କେତେବେଳେ ଓଠକୁ ଛୁଇଁଯାଏ ଜାଣିହୁଏ ନାହିଁ,
ତାର ଅନୁପସ୍ଥିତି କେତେବଳେ ବିନା ସୂର୍ଯ୍ୟାସ୍ତରେ
ଅନ୍ଧାରକୁ ଆଲିଙ୍ଗନ କରେ ଜାଣିହୁଏ ନାହିଁ
ଟିକ୍ ଟିକ କରି ଚାଲୁଥିବା ସମୟଟା ଆଜି
ଅପେକ୍ଷାରତ କାହାପାଇଁ ଜଣାନାହିଁ
ବୋଧହୁଏ ଇଏ ସେ ଅଲିଭା କ୍ଷଣ
ସ୍ଥିର ଏ ଚଞ୍ଚଳ ମନଟି ଆଜି ଯାହାପାଇଁ।।
ହୃଦୟର ଚାରିକାନ୍ଥରେ ଥିବା ନିଶବ୍ଦ ଭାବନା
କେତେବଳେ ପ୍ରଖର ନିଶ୍ଵାସର ପବନରେ
ଖେଳିବୁଲେ ଜାଣିହୁଏ ନାହିଁ
ତାର ପ୍ରତୀକ୍ଷାରେ ଆନ୍ଦୋଳିତ ମନ ପ୍ରକମ୍ପିତ ସ୍ପନ୍ଦନର
ବେଗକୁ କାହିଁକି ଅଟକାଇ ପାରେନା ଜାଣିହୁଏ ନାହିଁ
ଅନେକ ଅକୁହା କଥା କହିବାକୁ ଚାହିଁ ଏ ପାଗଳା ହୃଦୟଟା
କାହିଁକି କହିପାରେନା ଜଣାନାହିଁ
ବୋଧହୁଏ ଇଏ ସେ ଅଲିଭା କ୍ଷଣର ସ୍ପର୍ଶ ଅଦିନରେ
ଫଗୁଣର ରଂଗ ଲାଗେ ଆଜି ଯାହା ପାଇଁ ।।
ସ୍ମୃତିର ସାଗରରେ ସ୍ୱପ୍ନର ଡଙ୍ଗା କେତେବଳେ ଭାସିଯାଇ
ଗୋଟେ ଠିକଣାରୁ ଆଉଗୋଟେ ଠିକଣାରେ
ପହଞ୍ଚିଯାଏ ଜାଣିହୁଏ ନାହିଁ
ତା ନାଁର ଅକ୍ଷରକୁ ଗୁଣୁଗୁଣେଇ କେତେବଳେ ଏ କ୍ଳାନ୍ତ
ପଲକରେ ନିଦ ଭରିଯାଏ ଜାଣିହୁଏ ନାହିଁ
ସମ୍ପର୍କର ଅସ୍ତିତ୍ୱକୁ ବିକ୍ଷିପ୍ତ ହୋଇପଡ଼ିଥିବା ପରିଭାଷା
ଭିତରେ ସାଉଁଟିବାରେ ସମୟ କେବେ ସରିଯାଏ ଜଣାନାହିଁ
ବୋଧହୁଏ ଇଏ ସେଇ ଅଲିଭା କ୍ଷଣ ବୟସର କିଛି ବସନ୍ତ
ଆଜି ସରିଯାଏ ଯାହାପାଇଁ।।
ଅତୀତ ବହିର ପୃଷ୍ଠାକୁ ଲେଉଟାଇଲାବେଳେ
ପୁରୁଣା ସ୍ମୃତି ଯେ କେବେ ହାତକୁ
ଜୀବନ୍ତଲାଗେ ଜାଣିହୁଏ ନାହିଁ
ତା ସାଥେ ବଞ୍ଚିବାର ମରିବାର କଥା ଦେଉ ଦେଉ
କେବେ ଜୀବନ୍ତ ପାଷାଣଟିଏ ପାଲଟିଗଲି ଜଣାନାହିଁ
ଜୀବନ ଏକାଙ୍କିକାର ଏକକ ଚରିତ୍ରରେ ଅଭିନୟ କରୁ କରୁ
କାହିଁକି ଅନ୍ୟ ଚରିତ୍ରକୁ ନ୍ୟାୟ ଦେଇପାରେନା ଜାଣିହୁଏ ନାହିଁ
ବୋଧହୁଏ ଇଏ ସେ ଅଲିଭା କ୍ଷଣ
ମୁଁ ମରି ମରି ଜୀଉଁଛି ଆଜି ଯାହା ପାଇଁ।।