ଅକୁହା ବେଦନା
ଅକୁହା ବେଦନା
ଭାବି ଭାବି ଏବେ ମନ କିଛି କିଛି ଯେବେ କହିବାକୁ ଚାହେଁ,
ରହିଯାଏ ଶୁଣି କିଛି କଟୁତା ରେ ଭରା ଶବ୍ଦ କେହି କହେ ।
ଭରିଯାଏ ଆଖିରେ ଅଶ୍ରୁ, ବୁକୁରେ ଭରିଦିଏ କେତେ କୋହ,
ଖାଲି ଜୀବନଟା ଅଛି ଯାଇନି ତ ଏବେ ବଞ୍ଚିବାର ମୋହ ।
ଆଖି କହେ ବହିବାକୁ ଦିଅ, କେମିତି ବା ରଖିବି ସମ୍ଭାଳି ?
ଲୁହ ର ସ୍ରୋତ ମାଡି ତ ଆସୁଛି, ଯିବ ଏବେ ସେ ତ ଉଛୁଳି ।
ଛାତି ରେ ଚାପି ତ ଧରିଛି କେବେଠୁ କୋହର ଅନେକ ଢେଉ,
ପ୍ରତାରଣା, ଅବିଶ୍ୱାସ, ଦୁଃଖ ଅବା ସମ୍ମାନ ର ଭୟ ହେଉ ।
ପ୍ରଶ୍ନ ଯେବେ କରେ ପ୍ରତାରଣା କିଏ କେବେ କାହାକୁ ଦେଇଛି ?
ପ୍ରତିଧ୍ୱନି କହେ, ଭାବ ମାଳେ ଗୁନ୍ଥି ହୋଇ ସ୍ମୃତିରେ ରହିଛି ।
ପ୍ରତାରଣା ତ ଦେଇଛି ହୃଦୟକୁ ବିନ୍ଧି ଅନେକ ଯନ୍ତ୍ରଣା,
ସହି ତ ପାରୁନି ଏବେ ଆଉ ଏତେ ସେହି ଅକୁହା ବେଦନା ।
ସେ ପ୍ରତାରଣା ରୁ ଜନ୍ମ ନେଲା ଅବିଶ୍ୱାସ ର ଜଳନ୍ତା ନିଆଁ,
କହି ତ ହୁଏନା, ସହି ବି ହୁଏନା, ଲାଗେ ତ ବଡ଼ ଛାନିଆ ।
ସେ ନିଆଁ ରେ ଜଳି ଯାଏ ଦେଖୁ ଦେଖୁ ଜୀବନର କେତେ ସୁଖ।
ଭରିଦିଏ ଖାଲି ଅଦେଖା ଅଜଣା ଯେତେ ବଡ଼ ବଡ଼ ଦୁଃଖ।
ପାଇବାକୁ ଯଦି ଥିଲା ଏହି ଜୀବନରେ ଏତେ ସବୁ ଦୁଃଖ,
ତେବେ ଏହି ପ୍ରତାରଣା, ଅବିଶ୍ୱାସ କାହିଁକ ଆସିଲେ ପାଖ ।
କାହିଁକି ଅବିଶ୍ୱାସ ର ନିଆଁ ଜାଳି ପୋଡି କଲା ଛାରଖାର ?
ଜାଳିଦେଲା ଗଢ଼ିଥିବା ଏଠି କେତେ କେତେ ସୁନାର ସଂସାର ।
ଅବିଶ୍ୱାସ କହେ, ଜାଣିନି ସେ କିଛି, ପ୍ରତାରଣା କୁ ପଚାର,
ପ୍ରତାରଣା ତ ଅଟେରେ ଆଜି ଏ ସବୁର ମୂଳ ସୂତ୍ରଧର ।
ପ୍ରତାରଣା କହେ ସେ ତ ଯାଉଥିଲା ତାର ନିଜ ଧୀରେ ଧୀରେ,
ପାପ ଓ ଅଧର୍ମ ତ ଦୁହେଁ ମିଶି ଟାଣି ନେଲେ ତାଙ୍କ ସାଥିରେ ।
ନାହିଁ ତାର କିଛି ଦୋଷ, କରେ ନାହିଁ କେବେ କିଛି ସେ ଛଳନା
ସେଥିଲାଗି ନିଜେ ପ୍ରକଟିଲା, ଦେଲା କିଛି ଅକୁହା ବେଦନା ।
ଏତେ ସବୁ ଶୁଣି ଏବେ ଧଯ୍ୟହରା ହୋଇ କୁହଇ ସମ୍ମାନ,
ସବୁ ଯଦି ହୁଅନ୍ତି ନିର୍ଦୋଷୀ, ତେବେ ଏତେ କାହିଁ ଅଭିମାନ ।
ସମ୍ମାନ ମୁଁ ରହିଥାଏ ଦୁନିୟାରେ ସଦା ସଭିଙ୍କ ସାଥିରେ,
ଖେଳି ନାହିଁ ଅବା ଖେଳେ ନାହିଁ କେବେ କାହା ଭାବନା ସାଙ୍ଗରେ ।
ବାରମ୍ବାର ମୋତେ ହୁଏ ତୁମ ପାଇଁ ସଦା ବହୁ ଆକ୍ରମଣ,
ରହିଯାଏ ଅକୁହା ବେଦନା ହୋଇ ରକ୍ଷା କରେ ନିଜ ମାନ ।
ଆଜି ଏହି ଅକୁହା ବେଦନା ପାରୁନାହିଁ ବେଶି କିଛି ସହି,
ଏ ଜୀବନେ ଏବେ ଏତେ ସବୁ ଭୋଗି, ବଞ୍ଚିବାର ଇଚ୍ଛା ନାହିଁ ।
