ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା
ବୈଶାଖ ମାସର ଶୁକ୍ଳ ତୃତୀୟାରେ
ଅକ୍ଷି ମୁଠି ଅନୁକୁଳ
କରେ ଚଷା ଭାଇ ଆନନ୍ଦ ମନରେ
କ୍ଷେତରେ ବୁଲାଇ ହଳ।
ବିହନ ଧାନକୁ ଜମିରେ ପକାଇ
ଚାଷ ଅନୁକୁଳ କରେ
ଆକାଶକୁ ଚାହିଁ ବର୍ଷାକୁ ଆହ୍ବାନ
କରେ ପୂଜା ବିଧି ପରେ।
ଗୃହ ପରବେଶ ବିବାହ ବ୍ରତାଦି
ଅକ୍ଷୟ ତୃତୀୟା ଦିନ
ଶୁଭ ଏ ତିଥିରେ ମାତା ଧନଲକ୍ଷ୍ମୀ
ହୋଇଥିଲେ ପରା ଜନ୍ମ ।
ମିଥିଳା ନରେଶ ଲଙ୍ଗଳ କର୍ଷଣେ
ଆବିର୍ଭାବ ହେଲେ ସୀତା
ଏ ପବିତ୍ର ଦିନେ ଧରାବତରଣ
କରିଥିଲେ ଗଙ୍ଗା ମାତା।
ତପନ ତାପରୁ ମୁକ୍ତି ପାଇବାକୁ
ମହାପ୍ରଭୁ ଜଗନ୍ନାଥ
ଚାପ ଖେଳିଥାନ୍ତି ମହା ଆନନ୍ଦରେ
ଏହା ପୌରାଣିକ ମତ।
କିମ୍ବଦନ୍ତୀ ଅଛି ଏହି ଦିନେ କ୍ରୟ
କରିଲେ ରୌପ୍ଯ ସୁବର୍ଣ୍ଣ
ମାତା ମହାଲକ୍ଷ୍ମୀ ସଦୟ ହୁଅନ୍ତି
କରନ୍ତି ଗୃହେ ଗମନ।
ମହତ୍ବପୂର୍ଣ୍ଣ ଏ ଅକ୍ଷୟ ତୃତୀୟା
ସର୍ବ ପାଇଁ ଶୁଭଙ୍କର
ଭିନ୍ନ ଭିନ୍ନ ମତେ ଥିଲେ ବି ଜଡ଼ିତ
କ୍ଷୟ ହୁଏ ନାହିଁ ତାର।।

