ଆସ ମା
ଆସ ମା
ଆସ ଆସ ମା ଏ ମରତେ ଧାମେ
ଆସ ଆସ ଅବତରି
ସଭିଙ୍କ ଅନ୍ତରେ ଭରିବ ଉଲ୍ଲାସ
ଶୁଭାଗମନ ତୁମରି ।
କାଶତଣ୍ଡୀ ହସେ ମୃଦୁ ମଳୟରେ
ଭରିଛି କୁସୁମ ବାସ
ଶରଦର ଶଶୀ ଆସେ ହସି ହସି
ହସୁଛି ମୁକ୍ତ ଆକାଶ ।
ଦୁର୍ଗତି ନାଶିନୀ ତୁମ ଆଗମନୀ
ବାରତା ଆସିଛି ଆଣି
ନବ କିଶଳୟ ଶିଶିର ବିନ୍ଦୁରେ
ହସୁଛି ଧରଣୀ ରାଣୀ ।
ହସୁଛି ଶେଫାଳୀ ସୁରଭି ଛୁଟାଇ
ଫୁଟାଇ ମୁଖ ମୟୂଖ
ତୁମ ଆଗମନେ ଅପସରି ଯିବ
ସଭିଙ୍କ ଅନ୍ତର ଦୁଃଖ ।
ସୁଖର ପସରା ଅସରା ଆଣଇ
ସଦା ତୁମ ଆଗମନୀ
ସବୁରି ହୃଦୟ ଭରିଯାଏ ମୁଦେ
ଲଭି ତୁମ ପଦଧ୍ୱନି ।
ସଜଡା ହୋଇଛି କେତେ ଯେ ମଣ୍ଡପ
ତୋରଣ ଲାଗିଛି କେତେ
ରୋଷଣୀ ଲାଗିବ ପାର୍ବଣ ଆସିଛି
ତୁମ ପାଇଁ ସବୁ ଏତେ ।
ବିବିଧ ବାଦ୍ୟରେ କମ୍ପିବ ମଣ୍ଡପ
ପୂଜା ହୋମ ସବୁ ହେବ
ବୈଦିକ ରୀତିରେ ଷୋଡଶୋପଚାର
ପୂଜା ତୁମର ହୋଇବ ।
ସଭିଙ୍କୁ ତୋଷିବ ମନ ମହକିବ
ସଭିଙ୍କ ଦୁର୍ଦ୍ଦଶା ହରି
ସ୍ୱଧାମକୁ ତୁମେ ଗମନ କରିବ
ଆସ ମା ଅବତରି ।
ରହିଅଛୁ ଚାହିଁ ତୁମରି ପଥକୁ
ସବୁ ବରଷର ପରି
ଆସ ଆସ ମା ବିଳମ୍ବ ନକରି
ଆସ ଏବେ ଅବତରି ।
