ବଗଲା, ବଗୁଲୀ
ବଗଲା, ବଗୁଲୀ
ପୋଖରୀ ତୁଠରେ ମନ ଦୁଃଖ କରି
ବସି ରହିଛି ବଗୁଲା
ବଗୁଲି ତା ସାଙ୍ଗେ କଳହ କରିଣ
ବାପଘର ଚାଲିଗଲା ।
କଅଣ କରିବ ବଗୁଲା ବିଚରା
ବୁଦ୍ଧି ବାଟ ଦିଶୁ ନାହିଁ
ଶ୍ଵଶୁର ଘରକୁ ଯିବବୋଲିସିଏ
ହେଉଅଛି ହାଇଁ ପାଇଁ ।
ନାରୀ ସ୍ବାଧିନତା ଆଇନ୍ ରହିଛି
ସେ ପାଇଁ ଲାଗୁଛି ଭୟ
କୁଟା, କାଠି ଆଣି ଘର କରି ଥିଲା
କିଏସେ ରହିବ କୁହ ।
ହାତ ଧରି ତାକୁ ଅନୁରୋଧ କରି
କଲା କେତେ ନିବେଦନ
ଘର ଛାଡ଼ି ନ ଯିବାକୁ କହିକରି
ଧରି ଥିଲା ନିଜ କାନ ।
ତା କଥାକୁ ସବୁ ନ ଶୁଣି ବଗୁଲି
ଚାଲିଗଲା କରି ପର
ପୁରୁଣା କଥାକୁ ଭାବୁଛି ବଗୁଲା
ନେତ୍ରୁ ଝରିପଡେ ନୀର ।
ସାକ୍ଷୀ ଏକା ତାର ବୁଢ଼ା ବରଗଛ
ସବୁ ଦେଖୁଅଛି ବସି
କାହିଁ କେତେ କାଳୁ ରହିଛି ଏ ଗଛ
ଓହଳ ତା ମୂକ ସାକ୍ଷୀ ।
ଦୁନିଆଁ ଜାଣିଲେ କଣ କହିବ
ଶୁଖି ଯାଉଛି ତା ମୁହଁ
ମନେପଡେସବୁ ପୁରୁଣାସ୍ମୃତି ତା
ଅନ୍ତରୁ ଉଠଇ କୋହ ।
ଦାମ୍ପତ୍ୟ କଳହ ବଡ ଦୁର୍ବିସହ
ଦିଅଇ ବହୁତ ଦୁଃଖ
ବଗୁଲିକୁ ମୋର ଫେରାଇଆଣ ହେ
ପ୍ରଭୁ ଶ୍ରୀ କଳା ଶ୍ରୀମୁଖ ।
