ମୋନାଲିସାର ହସ
ମୋନାଲିସାର ହସ
ହସ ତ ସମସ୍ତେ ହସନ୍ତି
ଆନନ୍ଦରେ ହୃଦୟ ପଡି଼ଲେ ଉଛୁଳି
ସେ ହସର ତରଙ୍ଗ
ମୁହଁରୁ ଅଧରରେ ଯାଏ ଖେଳି
ମନରେ ଭରିଗଲେ ବିଷାଦ
ଆସେ ଅସରନ୍ତି ଦୁଃଚିନ୍ତାର ଭାବନା
କରେ ମସ୍ତିଷ୍କକୁ ଭାରାକ୍ରାନ୍ତ
ପ୍ରାଣ ହୁଏ ଅଧିର ଅସ୍ଥିର
ସମୟ ଆଣିଦିଏ ଅବସାଦ
ଫୁଟେ ଯେବେ ସରସତାର ଫୁଲ
ମହକିତ କରେ ଚଉପାଶ
ଐଶ୍ଵର୍ଯ୍ୟ ପ୍ରାଚୁର୍ଯ୍ୟରେ
ଜୀବନ ହୁଏ ରଙ୍ଗୀନ ସ୍ବପ୍ନମୟ
ଅଧର ଧାରେ ଝଲସେ ସ୍ମିତ ହସ
ସାରା ଜଗତକୁ କରେ ବଶ
ସେ ହସ ଅମଉଳା ଚିର ଅମ୍ଳାନ ସ୍ନିଗ୍ଧ
ପ୍ରତି ହୃଦୟକୁ କରେ ମୁଗ୍ଧ
ମୋନାଲିସା ଶିଳ୍ପୀର ମାନସ କନ୍ୟା
ପଥର ଦେହର ଜୀବନ୍ତ ପ୍ରତିମୂର୍ତ୍ତି
ସାରା ବିଶ୍ବରେ ଅନନ୍ୟା
ନମ୍ର ଶାନ୍ତ ସରଳ ଉଦାର ହୃଦୟ
ନାହିଁ ଗ୍ଳାନି ନାହିଁ କିଛି ଅନୁଶୋଚନା
ସେ ସମସ୍ତଙ୍କୁ ଦିଏ ସମ୍ଵର୍ଦ୍ଧନା
ଜୀବନ ଜିଇଁବାକୁ କରେ ଆହ୍ବାନ
ମନରୁ ଦୂରାଇ ଦେଲେ ତିକ୍ତତାର କ୍ଳେଶ
ରହେ ନାହିଁ ତିଳେ ଅବଶୋଷ
ଆରମ୍ଭ ହୁଏ ଅଭିଯାନ
ସେ ମୋନାଲିସା ପଥରର କାରୁକାର୍ଯ୍ୟ
ଶିଳ୍ପୀର କଳାକୃତି ଯାଦୁ
ଦର୍ଶକ ଭାବୁକ ହୁଅନ୍ତି ଆଶ୍ଚର୍ଯ୍ୟ
ପଥର ବି ହସି ପାରେ
ପାଷାଣ ହୃଦୟକୁ ତରଳାଏ
ଆତ୍ମାକୁ ଚରମ ପରମ ଶାନ୍ତି ଦିଏ
ସଂସାରରେ ହସ ଅମୂଲ ମୂଲ
ଅତୁଳନୀୟ ହୁଏନା କା' ସାଥେ ତୁଲ
ପାରେ ସେ ବହୁମୂଲ୍ୟ ରତ୍ନକୁ କିଣି
ସେ ଏକ ପରଶମଣି
ପ୍ରତିଟି ହୃଦୟକୁ ଯାଏ ଜିଣି
ମୋନାଲିସା ତାର ପ୍ରତୀକ
ଜୀବନର ଅମାରେ ଉଜ୍ଜ୍ବଳ ଆଲୋକେ
ସବୁ ଭୁଲି ଯିଏ ପାରେ ହସି
ତା' ସଂସାରରେ ଭରିଯାଏ ଖୁସି
ଅନ୍ତରରୁ ଅଶାନ୍ତି ହୁଏ ନାଶ
ଦୁଃଖକୁ ସୁଖରେ କରେ ରୂପାନ୍ତର
ସେ ମୋନାଲିସାର ହସ।