ଅଜଣା ଋତୁ
ଅଜଣା ଋତୁ


ଷଡଋତୁ ପରେ ଇଏ କି ଋତୁ ଦହୁଛି ଅନ୍ତର କୁହ କି ହେତୁ
ଗ୍ରହଣ ଗ୍ରାସିଛି କି ଅବା କେତୁ ଲୁଟି କେ ନେଇଛି ଚଞ୍ଚଳ ଚିତ୍ତୁ
କିବା ବଜ୍ର ଘାତୁ
ଛିଣ୍ଡିଛି ଚନ୍ଦ୍ରମା ଗଗନ ହାତୁ !
ଏ ଯାଏଁ ତ ଅଛି ସେ ସହକାର ବିହଙ୍ଗମ କିମ୍ପା ଉଡିଲେ ଦୂର
ପ୍ରାସ ଭରା ସିନା ଏ କଳେବର ନିରାଶ ଲାଗଇ ପରାଣ ମୋର
ହେଲି ସାତପର
କି ପାଇଁ ନଆସ ଫେରି ସତ୍ବର ?
ସଢିଯାଏ ଦେହ ବିରହେ ଏବେ ବେଦନା ବିଧୁର ପଣେ କି ଲବେ
ସହିଛ କଷଣ କଣ୍ଟକ ଯେବେ ପାଦରେ ଫୁଟଇ ଦୂଷଣ ଭାବେ
ଦେଖିଛ କି ଭବେ
ଯନ୍ତ୍ରଣା ବି ଲାଗେ ମିଠା ଅଜବେ ?
ଘୂରୁଥିଲା ସିନା ଆଖି ଆକାଶେ ଅଜଣା ତିଥିର ଜହ୍ନ ସକାଶେ
ଆଖି ଲୁହ ଝରି ଓଠରେ ପଶେ
ଶୁଖି ଅଠାଳିଆ ଲବଣ ରସେ
ବୋଧହୁଏ ହସେ
ଭାବନ୍ତେ ପ୍ରେରଣା ତୁମରି ଭାଷେ ।
ଭବ୍ୟ ବାଲିଘର ଲାଗେନା ସତ ଲୋଡାନାହିଁ ଆଉ ମିଛ ଅମୃତ
ଶୂନା ଶୂନା ଲାଗେ ଗଲା ଅତୀତ ସ୍ମୃତିରେ ହଜିଲେ ହୁଏ ଗୋ ଭୀତ
ଥରଥର ଶୀତ
କମ୍ପମାନ କରେ ମଧୁ ବସନ୍ତ ।
ନିନ୍ଦା ଅପମାନେ ପାତିଲି ମଥା ଯେତେକ ଅକୁହା ଗୁମର କଥା
ଶକୁନ୍ତଳା ପ୍ରୀତି ଲାଗଇ ଯଥା ବଖାଣ ତୁମର କୁଳର ପ୍ରଥା
ଆଉ କି ଅଯଥା
ପ୍ରୀତି ପ୍ରମଥନେ କର ହୀନସ୍ତା ।
ସୁଖଦ ଭାବରେ ବୁଣିଲି ହାତେ ମହକ ମୁଠାଏ ସପନ କ୍ଷେତେ
କଳରବ ଭରା ଋତୁର ମତେ ନିରବତା ଫଳେ ଯାହାକୁ ଯେତେ
ହେମାଳ ବାତେ
ଶବ୍ଦକୁ ସଜାଡି ଲେଖୁଛି ଗୀତେ ।
ପ୍ରସନ୍ନ କୁମାର ମାଦଳା