ଖୋଜୁଛି ରତନ
ଖୋଜୁଛି ରତନ
ସଂସାର ସାଗର ଅଥଳ ଗଭୀର
ଥଳକୁଳ ପାଏ ନାହିଁ
ସ୍ବାର୍ଥ ଲୋଭ ମୋହ ତରଙ୍ଗ ସମୂହ
ଦିଏ ମୋ ଦିଗ ହଜେଇ ।।
ଯେତେ ମୁଁ ଖୋଜିଲି ସେତେ ମୁଁ ପାଇଲି
ଗେଣ୍ଡା ଶାମୁକାରୁ ପୁଳେ
ଖୋଜି ଖୋଜି ମୁହିଁ ଥକି ପଡ଼ିଲିଣି
ଏ ଭବ ସାଗର ଜଳେ ।।
ଖୋଜୁଛି ରତନ ମୋର ଦେହ ମନ
ସାଉଁଟି ସାଗର ବାଲି
କୁହେଳିକା ସମ ଉଭେଇ ଯାଉଛି
ହାତ ମୋର ଖାଲି ଖାଲି ।।
ଦେଖି ମୋ କଳାପ କରନ୍ତି ବିଦ୍ରୁପ
ସାଗରର ବାଲିସ୍ତୁପ
ନୁହେଁ ଏହି ରୂପ ଅଖଣ୍ଡ ପ୍ରଦୀପ
ଦିନେ ଲିଭିଯିବ ଦୀପ ।।
ଲିଭିବା ଆଗରୁ ଏହି ଅନ୍ଧକାରୁ
କାଢି ନିଅ ଜଗନ୍ନାଥ
ଅରୂପେ ଦେଖିବି ସ୍ଵରୁପ ତୁମରି
ମାଗେ ଯୋଡ଼ି ଦୁଇ ହାତ ।
