ଅଜଣା ରାସ୍ତାର ଫୁଲ
ଅଜଣା ରାସ୍ତାର ଫୁଲ
ଏମିତି ଗୋଟେ ଶୀର୍ଷକ କିଏ ବା କେମିତି ବାଛିପାରେ!
ଯେତେବେଳେ ନିଜେ ହି ସେଇ ଫୁଲ
କୋଉ ରାସ୍ତାଟା ବା ଜଣାଥାଏ ପାଦଥାପିବାର ପ୍ରଥମ
ଦିନ ସବୁରେ ଭଲା !
ସିଏ କହେ , ଜାଣୁ ଜହ୍ନ ଯେବେ ଯେବେ କାହା ସହ କଥା ହୁଏ
ସେବେ ସିଏ ଦରକାରଠୁ ବେଶୀ ଚହଟେ ଉଜ୍ବଳତାର ଶାଢୀ ବେଢେଇ '।
ସିଏ କହେ କଣ (?) ," ଏଇ ,ତୁ ନା ଗୋଟେ ଜହ୍ନ ଆଉ ମୁଁ ତୋ ଛାଇ '
କହନ୍ତା ହେଲେ ....
ମୁଁ ପ୍ରତିଉତ୍ତରେ ଭରିଦିଅନ୍ତି ତା ଆଞୁଳା ଭରି ଜହ୍ନଆଲୁଅ ,
ଓଢଣୀରେ ଛାଣିନେଇ ।
ଧେତ୍ ...
ସିଏ ଓଲଟି ମୋ ଅଙ୍କା ଅଦମ୍ଯ ବାଘଟେକୁ ଦେଖି ପଚାରେ,
'କିରେ, ଏଇଟା ବାଘ ନା ବାଘୁଣୀ ?'
ସାରା ରାତି ଚାଲିଯାଏ ,
ସାରା ରାତି .... ମତେ ତା ପ୍ରଶ୍ନ ପଛର ହସ ଶୁଭେ ।
ଆଉ ସକାଳୁ ମୁଁ ସେ ଅଦମ୍ଯ ବାଘ ମୁଣ୍ଡରେ
ଫୁଲଟିଏ ପିନ୍ଧେଇଦେଇ କହେ ," ଏଥର ଦେଖ "
ସିଏ ଖିଲଖିଲ ହସେ ଆଉ କହେ ,
'ବାଘୁଣୀ ବି ହସେ ତେବେ !
ତେବେ ଶିକାରୀ ତ ପୋଖତ ସିଏ ।
ନା କଣ କହୁଛୁ ! '
ତା ହସର ଶବ୍ଦ ବଢେ ,
ଆଉ ମୁଁ ସେଇ
ରାସ୍ତା ମଝି ଫାଟରୁ ଫୁଲଟିଏ ହେଇ ଫୁଟିବାକୁ
ଖରା ଖୋଜୁଥାଏ
ଫୁଲେଇ ପବନର କାନି ଧରି ।
ଏବେ ବି କଣ କହିବି ଏ ରାସ୍ତା ଅଜଣା !
ଯିଏ ମୋ ହାତ ଧରି ମହକ ଯାଚେ
ବିନା ପ୍ରଶ୍ନରେ ।
