ଅଜାଙ୍କ ଖପା
ଅଜାଙ୍କ ଖପା
ସକାଳୁ ସକାଳୁ ବାଙ୍କ ଅଜା ଆଜି
ଗୁଡାଖୁ ଦାନ୍ତରେ ମାଖି
ପୋଖରୀ ହୁଡାରେ ବସିପଡିଗଲେ
ପାଣି ରେ ପଡିଲା ଆଖି ।।
ତର ତର ହୋଇ ଘରକୁ ଧାଇଁ ଲେ
ବନିଶି ରେ ଗୁନ୍ଥି ଥୁପ
କଉ ମାଛ ଗଣ୍ଡା ଧରି ପକାଇଲେ
ଦେଖିବ ଆଈର ରୂପ।
ସଜ ବାଜ ହୋଇ ବାହାରିଛି ଆଈ
ଯିବା ପାଇଁ ବାପ ଘରକୁ
ଏତିକି ବେଳରେ ହଟିଆ ବୁଢାଟା
ମାଛ ଆଣି ଅଛି ଘରକୁ ।।
ରାଗ ତମ ତମେ ଆଈ ବୁଢ଼ୀ ଆମ
ନଦେଖିଲା ପରି ହେଲା
କାଖରେ ବ୍ୟାଗ ଲୁଚେଇ ପକାଇ
ବାଡି ତଳେ ତଳେ ଗଲା ।।
ନାଳୁଆ ଅଜାର ଲାଳ ବୋହିଗଲା
ମାଛ ତରକାରୀ ଖାଇବ
ବୁଢ଼ୀ କି ତାର ଡାକ ଛାଡୁ ଅଛି
ବୁଢ଼ୀ କିଆଁ ଡାକ ଶୁଣିବ ।।
କଉ ମାଛ ଧରି ବାଛି ବସିଗଲେ
ହାତ ଯାଉଥିଲା ଫୁଟି
କହିଲେ ବୁଢ଼ୀଟା ବାପ ଘରୁ ଆସୁ
ପକାଇବି ତାକୁ କୁଟି ।।
ସଞ୍ଜ ନଇଁଗଲା ଆଈ ଆସିଗଲା
ଦେଖିବ ଅଜାଙ୍କ ଖପା
କହିଲା ନକହି ଘରୁ ଚାଲି ଗଲୁ
ଏଥର ସମ୍ଭାଳୁ ବୋପା ।।
ଆଈ ବୁଢ଼ୀ ଆମ ଉଗର ଚଣ୍ଡିଟି
କହିଲା ହଇଓ ଦେଖିବ
କଉ ମାଛ ସବୁ ଫୋଡାଇ ପକାଇ
କହିଲା କଣ କରିବ ।।
ଡ଼ର ଡ଼ର ହୋଇ ଅଜା ମୂହଁ ପୋତି
କହିଲେ ଖାଇବି ଚୋପା
କାହିଁକି ଧରିଲି ଶଶୁର ନାଆଁଟି
ଆଉ ନହୋଇବି ଖପା।।
