ଅଗ୍ନିପଥ
ଅଗ୍ନିପଥ
ଭାବପ୍ରବଣତା ରହିଛି ରହିବ
ପ୍ରତ୍ୟେକ ମଣିଷର
ବିଭେଦ ସୂତ୍ରପାତ କରେ ପଥ
ସବୁ ଅରାଜକତାର ।
କୌଣସି ନ୍ୟାୟିକ ବ୍ୟବସ୍ଥା ଖୋଲିବା
ଆଗରୁ ଜରୁରୀ ସଚେତନତା
ସୁଖ, ଶାନ୍ତି, ମୈତ୍ରୀ ଭାବନା ଅପରିହାର୍ଯ୍ୟ
ଆଣିବାକୁ ସଂଯମତା ।
ମୁଁ କୁଲି, ଦାଦନ, ଶ୍ରମିକ ଓ
ଦିନ ମଜୁରିଆଟିଏ
ଦିନଯାକ ଝାଳ ନାଳରେ ଖଟିଲେ,
ଖାଏ ତ ମୁଠିଏ ।
ମୋର ଶ୍ରମକୁ ହେ ପୁଂଜିପତି
ଯେତେ ଶୋଷଣ କର
ବର୍ଷକଯାକ କାମ କରି ଅଭାବେ
କଟେ ମୋ ଘର ।
ଦେଶର ଧନ, ଶ୍ରମ ଚୋରି କରି,
ଧନୀ ହୋଇଛ ଏକ ନମ୍ବର
ଗଞ୍ଜେଇ, ଭାଙ୍ଗ, ମଦ ଓ ଅନେକ
ବେପାର ପରା ତମର ।
ବଡ଼ ବଡିଆଙ୍କ ପାଇଁ ସବୁ ଆଇନ,
ପୋଲିସ ଓ ସରକାର
ଶ୍ରମିକ କୃଷକ, ଖଟିଖିଆ ଗୁଡାକ
ବେଳକୁ ତୁମେ ହୁଅ ବଧିର ।
ବଡ ବଡ ସପନ ଦେଖାଇ ଯୁବ
ଗୋଷ୍ଠୀଙ୍କୁ କରି ଦିଗହରା
ବଡ ବଡ କଥା କୁହ, ଟୋକାଙ୍କୁ
ବନେଇ ଦଳୀୟ ସେନା ବାତରା ।
ମନପ୍ରାଣରେ ଦୁନିଆର ନ୍ୟାୟିକ
ଭାବନା ତ ଅଭାବ
ଭୁଲିଛ ନିଜେ ଉଚିତ ନୁହେଁ କେବେ
ହେଁ କରିବା ଆତ୍ମ ଗରବ ।
ଆଛା ଦିନ ଆସିବାର ସପନ ଭରିଲ
ଆଖିରେ ମୋହର
ଚାଷ ଛାଡି ଗୋଲାମୀ କଲି ହୋଇ ତ
ବାନାବାତୁରିଆ ବେକାର ।
ଅତ୍ୟାଚାର ଶୋଷଣ ବିରୋଧେ
ରାଗରେ କମ୍ପୁଛି ମୋର ଶରୀର ,
କହିବିନି ସର୍ବହରାର ଦୁଃଖ କାହାଣୀ,
କର କେତେ ପ୍ରକାର ପ୍ରଚାର ।
ବଞ୍ଚିବାର ଗୋଟିଏ ବାଟ ଧର୍ମଘଟ,
ରୋକିବାକୁ ଆଇନ କଥା କୁହ
ନିଜେ ପାପୀଷ୍ଠ, କହେ କିଏ ସେ
ଆଇନ ଭଙ୍ଗ କରିଅଛ କହ ।
ଭୋକିଲା ହୃଦୟର ବିକଳ ଅନ୍ତସ୍ଵରରୁ
ପ୍ରକାଶ ପାଏ ଉଚ୍ଚାରଣ
କରୁଛ କେତେ ଫନ୍ଦି ଫିକର ରୋକିବାକୁ
ତୁମେ ସେଇ ଶବ୍ଦ ବାଣ ।
ଦେହରୁ ବାହାରୁଛି ସ୍ବେଦ, ଅଗ୍ନିଶିଖା
ନିଶ୍ଚୟ ଦିନେ ନା ଦିନେ ବାହାରିବ
ମନେ ଲଭିଲେ ବିଷାଦ, ରୁଦ୍ର ରୂପକୁ,
ଅଗ୍ନିପଥ କଅଣ କୁହ ରୋକି ପାରିବ ।
କୁଆଡୁ ଜାଣିବ ଯଦି ଜ୍ଞାନାଲୋକ
ମଣିଷ ଗ୍ରହଣ କରେ
ସେହି ମାନବ କେବେ ତ ମାନବିକତା
କ୍ଷୁର୍ଣ୍ଣ ନ କରେ ।
ସତ ଓ ଅହିଂସାକୁ ଯଦି ଜଣେ ମନରେ
ଵ୍ରତ ଭାବରେ ନିଏ
ନିଶ୍ଚିତ ରାଷ୍ଟ୍ରଵାଦ କାର୍ଯ୍ୟଧାରା ମନ ଭିତରେ
ଉଙ୍କି ମାରୁଥାଏ ।
