(୨୯)# ବୋଝ #
(୨୯)# ବୋଝ #
ନୀରବିତ ଜୀବନ ମୁଖଶାଳାର ସେଇ
ଶୂନ୍ୟ ରଙ୍ଗଛଡା କାନ୍ଥ ଧାରେ
ଏବେ ଧସିବା ପରି ମନେହୁଏ ନିଜସ୍ଵ ପୃଥିବୀ
ଚାଲୁ ଚାଲୁ ସଂସାର ବୋଝରେ l
ପ୍ରତିଶ୍ରୁତିର ଖୋଦିତ ଆତ୍ମଲିପି ସବୁ
ଅଧୁନା କାହିଁ ଲାଗେ ସହସ୍ର ଉଆଁସ ରାତି
ସକାଳର ସମ୍ଭାବିତ ସୂର୍ଯ୍ୟୋଦୟ ଜଣାପଡେ
ଏ ଉଦବେଳିତ ମନେ ଧରାଶାୟୀ ଯେମିତି l
ସମୟର ଏ ଝଡ ତୋଫାନରେ
କେଉଁ ବୋଝ ବୋହି କେମିତି ପାରିହେବ
ଇଛାର ଏ ହୁଲିଡଙ୍ଗା ମୋର ,
ଜୀବନ ଯମୁନାର ଉଜାଣି ସୂଅରେ
ମୋତେ ତ ସଠିକ୍ ଜଣା ବି ନାହିଁ
କୈାଶଳ ଆହୁଲା ମାରିବାର l
କହିଲ କେତେ ଦିନ ଯାଏ ଏମିତି ଜିଇଁ ହେବ
ସଂସାର ବୋଝ ବୋହି
ଜିଅନ୍ତା ଶବ ହୋଇ ,
ସାଘାଂତିକ ମିଥ୍ୟା ପ୍ରବଞ୍ଚନାରେ
ଅସ୍ମିତା ଦଗ୍ଧ ଅସ୍ତିତ୍ଵ ସାଥିରେ l
ଭାବିଥିଲି ଜୀବନର ଧୂସର ମେରୁ
ବୋଝ ବୋହି ଅଚିରେ ପାରି କରିଯିବି
ମନର ଉଜୁଡା ଅଲୋଡା କ୍ଷେତରେ
ପ୍ରୀତିର ଅସୁମାରୀ ସବୁଜିମା ଭରିଦେବି l
ସଂସାର ବୋଝ ଆଉ ବୋଝ ଲାଗିବନି
ଅଙ୍କୁରିବ ଗୋଲାପର କଢ କୋଣେ ଅନୁକୋଣେ
ଚଉଦିଗ ମହକିବ ମହକିତ ସୁଖର ଫଗୁଣେ ,
ଜୀବନ ଭୂଇଁରେ ଝରିଵ ଅବିରାମ
ଝର ଝର ହୋଇ ପ୍ରେମ ମେଦୁରିତ ବର୍ଷା
ଭୁଲିଯାଇ ସଂପର୍କ ର ରାଗ ରୋଷ ଇର୍ଷା l
ହେଲେ ସେଭଳି କିଛି ହେଲା ନାହିଁ
ମୋର ଏ ସ୍ବପ୍ନିଳ ଆକାଶର
ପରିବ୍ୟାପ୍ତ ଛାତ ତଳେ ,
ସଂସାର ଅରଣ୍ୟ ଆଜିବି ସେମିତି ତମସାପୂର୍ଣ୍ଣ
ଜୀବନର ବୋଝ ବୋହି
ସମୟର ସୁର ଲୟ ତାଳେ ।
