ଅଦୃଶ୍ୟ
ଅଦୃଶ୍ୟ
ଅଦିନ ଝଡ ବତାସକୁ ଦେଖି
ତୁମେ ବେଶି ଡରୁ ଥିଲ ନା ?
ମୋତେ ଆକଟ କରୁଥିଲ,
କୁଆଡେ ଯାଅନି,
ଜାବୁଡି ଧରୁଥିଲ ମୋ ହାତ
ବିଜୁଳି ଘଡଘଡି ବେଳେ।
ଦେଖ, ଆଜି ଦମ୍ଭ ଧରି
ରାସ୍ତାରେ ଠିଆ ହୋଇଛି ଏକୁଟିଆ।
ସହିବାକୁ ଝଡ଼ର ପ୍ରହାର ।
ଜାଣେ, ଝଡ଼ ପରେ ନିର୍ମଳ ଦିଶିବ ଆକାଶ
ଫୁଟିବ ତା ଅଗଣାରେ ତାରା ଫୁଲ
ଗତିପଥ ବଦଳାଉଥିବା ନଈ
ପୁଣି ଅଟକି ଯିବ ।
ମୁଁ ତ କେବେ ଡରି ନ ଥିଲି ଝଡ଼କୁ
ତଳେ ପଡି ଭାଙ୍ଗି ଦେଇଥିଲି ହାତ
ତୁମେ କାନ୍ଦିଥିଲ, ଅବୁଝା ପଣ ନେଇ ।
ମନେ ଅଛି, ସବୁ କଥା
ପଛରେ ଛାଡି ଆସିଥିବା ଦିନ
ଗାଁ ଆମ୍ବତୋଟାରେ ଖରାବେଳ
ମାମୁଘର ବୁଲା
ନାକୁଆଳି ଗଡିଆର କାଚକେନ୍ଦୁ ପାଣିରେ
ଭାସୁଥିବା ଜହ୍ନର ମାୟା
ଲାଗେ ଆଜି ଫିକାଫିକା
କାହିଁକି କେଜାଣି।
ଆଖିରେ ତ ଘେରି ଆସିଲାଣି ପତଳା ପରଳ।
କାଚର ଲେନ୍ସ ତଳେ ଦୃଷ୍ଟି ପାଏ ଯେତେ ଦୂର
ଦେଖୁଛି ମାଟି ଓ ଆକାଶର ସୀମା
କାହିଁ ତ ଥମୁନି ଅଦୃଶ୍ୟ ଝଡ଼ର ନୃତ୍ୟ
ଅଦେଖା ଭୂତାଣୁ ବି ଗ୍ରାସୁଛି ସଂସାର ।
ସାହସର ବନ୍ଧ ପକାଇବା ବେଳେ
ଆଶା ନିରାଶାର ଦ୍ବନ୍ଦ୍ବ
ମୋତେ ବାନ୍ଧି ପକାଉଛି,
ଅସ୍ତିତ୍ବକୁ ପ୍ରଶ୍ନ ଉଠାଉଛି
ବାରମ୍ବାର ।
ଅଦୃଶ୍ୟ ସତ୍ତା ଭିତରେ ହଜିଥିବା
ପରିଚିତ ମୁହଁମାନେ, ଆଖିକୁ
ଅସ୍ପଷ୍ଟ ଦିଶିବା ବେଳେ
ଜହକି ଆସୁଛି ଅଠାଳିଆ ଲୁହ,
ବେଦନାର ଅନ୍ତର୍ଭେଦୀ ଘାତ
ଝୁଣି ପକାଉଛି ରକ୍ତ ମାଂସର ଦେହ।
ତଥାପି ଘର ବାଲକୋନିର ଫୁଲକୁଣ୍ଡ,
ଟେବୁଲ ଉପରେ ଥୁଆ ଫୁଲଦାନୀ
ଠାକୁର ଘରେ ସାଇତା ଧୂପକାଠି,
ସବୁତ ସେମିତି ଅଛି
ଯେମିତି ତୁମେ ରଖି ଯାଇଥିଲ....।
କେଉଁ ଅଦେଖା ହାତ ଆଉଁସାରେ
ସତେ ଯେମିତି ସେସବୁ ଦିଶୁଛି
ଅଧିକ ସତେଜ, ସୁନ୍ଦର !!
*****