ଅଧରପଣା ମାହାତ୍ମ୍ୟ
ଅଧରପଣା ମାହାତ୍ମ୍ୟ
କ୍ଷୀର ସର ଛେନା ନବାତ କଦଳୀ
କର୍ପୂର ଗୋଲମରିଚ
ମିଶେ ଜାଇଫଳ ସୁପବିତ୍ର ଜଳ
ଛାଉଣୀ ମଠୁ ଆନୀତ ।
ପିତ୍ତଳ ହଣ୍ଡାରେ ନଅଟି ସାମଗ୍ରୀ
ନେଇ ଯଥା ପରିମାଣ
ଅଧରପଣାର ହୁଅଇ ପ୍ରସ୍ତୁତି
ବିଧାନ ଗୁରୁତ୍ୱପୂର୍ଣ୍ଣ ।
ପ୍ରତିଟି ରଥର ମୁଖ୍ୟ ବିଗ୍ରହଙ୍କ
ଅଧର ଉଚ୍ଚତା ଯାଏ
ମୃତ୍ତିକା ତିଆରି ତିନିଟି ଲେଖାଏ
ନଅ ତୁମ୍ବେ ଢଳାଯାଏ ।
ସୁନାବେଶ ପରେ ଦ୍ୱାଦଶୀ ତିଥିରେ
ସରିଲେ ମଧ୍ୟାହ୍ନ ଧୂପ
ଅଧରପଣାକୁ କରନ୍ତି ପ୍ରସ୍ତୁତ
ମହାସୁଆର ସେବକ ।
କନା ଘେର ଟେରା ଧରନ୍ତି ତଳିଚ୍ଛ
ଭିତରଚ୍ଛୁ ପୁଷ୍ପାଳକ
ଅର୍ପଣ କରନ୍ତି ପୂଜାପଣ୍ଡା ପଣା
ଅଧରାମୃତ ନୈବେଦ୍ୟ ।
ଦ୍ୱାପର ଯୁଗରେ ଲୀଳାମୟ କୃଷ୍ଣ
ଭାଙ୍ଗିଥିଲେ ଦଧିଭାଣ୍ଡ
ପୁରାଣର ସ୍ମୃତି ଅଜ୍ଞାତ କାରଣୁ
ଭାଙ୍ଗି ଦିଆଯାଏ ତୁମ୍ବ ।
କୁହନ୍ତି ପଣ୍ଡିତେ ଅମୃତ ଏ ପଣା
ହରେ ପଥ ଶ୍ରମ କ୍ଲାନ୍ତି
ତାନ୍ତ୍ରିକ ମତରେ ଏହାର ମହତ୍ତ୍ଵ
ତଥ୍ୟ ଭିନ୍ନ ବଖାଣନ୍ତି ।
ଚତୁର୍ଦ୍ଧା ମୂରତି ତିନିରଥ ଧ୍ୱଜ
ବିଜେ ସମସ୍ତ ପ୍ରତିମା
ଗ୍ରହଣ କରନ୍ତି ପ୍ରସାଦ ନୈବେଦ୍ୟ
ପ୍ରତିଦିନ ଅରଚନା ।
ରଥେ ପ୍ରତିଷ୍ଠିତ ପାର୍ଶ୍ଵ ଦେବାଦେବୀ
ଅନ୍ୟ ଅଶରିରୀ ଆତ୍ମା
ହୋଇଥାନ୍ତି ତୃପ୍ତ ପାଇଲୋ ଟୋପାଏ
ଇପ୍ସିତ ଅଧରପଣା ।
ଭାଙ୍ଗିଗଲେ ତୁମ୍ବ ରଥ ଚାରିପଟେ
ଝରେ ପଣା ଝରଝର
ଲଭନ୍ତି ମୁକତି ଅଦୃଶ୍ୟ ଆତମା
ବିଶ୍ୱାସ ଆଶ୍ଚର୍ଯ୍ୟକର ।
ଅଦ୍ଭୁତ ବିସ୍ମୟ ପବିତ୍ର ଗୋମୟ
ଦୁଗ୍ଧେ ଶିବ ନିତ୍ୟସ୍ନାନ
ଆମ ସ°ସ୍କାରରେ ହୁଏ ଘୃତଯଜ୍ଞ
ଶବ ଅଗ୍ନି ସମର୍ପଣ ।
ଶ୍ରୀ ମହାପ୍ରସାଦ ନିସଙ୍ଖୁଡି ଭୋଗ
ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ
ମାତ୍ର ଦ୍ୱାଦଶୀର ପଣାର ମାହାତ୍ମ୍ୟ
ରହସ୍ୟମୟ ଅଦୃଷ୍ଟ ।