STORYMIRROR

Laxminarayan Sahoo

Tragedy

3  

Laxminarayan Sahoo

Tragedy

ଅଛବ ଝିଅ

ଅଛବ ଝିଅ

1 min
202


ତା'କୁ ଛୁଇଁଲେ ସାତସ୍ନାନ

ଦେଖିଦେଲେ ମୁହଁରେ ସୃଷ୍ଟି ହୁଏ

ଅତିରିକ୍ତ ରେଖାର କୁଞ୍ଚନ ।


କଳା ମୁଗୁନି ପଥର ପରି ଯୈ।ବନ 

ଅଙ୍ଗେ ଅଙ୍ଗେ

ପିଚ୍ଛିଳ ଶିଉଳିର ସୂକ୍ଷ୍ମ ଆବରଣ ।


 ତାକୁ ଅଗୋଚର

ତା ଦେହର ସ୍ପନ୍ଦନ

ତା ଭିତରେ ଚକା ପାରି ଶୋଇଥିବା

କେଉଁ ଆରଣ୍ୟକ ସାପର ଗର୍ଜନ

ମାଟି ପାଣି ପବନ ଆକାଶ

ବନସ୍ତ ଘେରା ପାହାଡ଼

ପାହାଡ଼ ଘେରା ବନସ୍ତ 

ଯା ସହ ସେ ନିତି ଆତଯାତ 

ସେମାନେ ଅବଶ୍ୟ 

କେବେକେବେ ଶୁଣିଥିବେ

ତା ହୃଦୟର ନୀରବ କୋଳାହଳ ।


ଫୁଲ ପ୍ରଜାପତି

ଆକାଶରେ ଟହଳୁ ଥିବା ତୋଫା ଜହ୍ନ

ତାଙ୍କ ଗାଁ ପୋଖରୀରେ 

ଚହଳୁ ଥିବା ନୀଳ କଇଁ

କେବେ ଆନମନା କରି ପାରିନାହିଁ

ଅଳନ୍ଧୁ ଲଗା ମଲାଟ ଭିତର

ତା'ର ଅଫୁଟା ମନକୁ ।


ସେ ସିନା ବୁଝି ପାରେନାହିଁ

ତା ଅନ୍ତର କଥା

ହେଲେ ସମୟ ହାତ ଧରି

ଘୋଷାଇ ଦେଲାଣି

ତା ପାଖରେ ଆତଯାତ ହେଉଥିବା

ମଣିଷଙ୍କ ଆଖିର ଇଶାରା

ଏ ଭିତରେ ଶିଖି ଗଲାଣି

ପେଟ ଭୋକ

ଦେହ ଦାହ

ଟାହି ଟାପରା

ଆଦିକୁ ନେଇ ବଞ୍ଚିବାର କଳା। ।


ସେ ଅଛୁଆଁ

ଅଲୋଡ଼ା ନୁହେଁ

ଏ ଦ୍ଵନ୍ଦକୁ ବି ଧିରେ ଧିରେ ଭେଦୁ ଥିଲା

ଯେବେ ସହରୀ ବାବୁମାନେ ଆସି

ଭାଗମାପ କରୁଥିଲେ

ଜଙ୍ଗଲ ଜମି

ହାତାଉଥିଲେ ମାଲିକାନା

ଶସ୍ତାରେ କିଣୁଥିଲେ ବିଶ୍ଵାସ

ଚୋରାଉ ଥିଲେ ହୃଦୟ। ।


ସେ କିଛି ନୁହେଁ

ନାରୀ ଟିଏ ବି ନୁହେଁ

ଶୋଷ ମେଣ୍ଟାଉ ଥିବା

ପାଣି କି ମଦ ପାଉଚ୍ ଟାଏ

କାମ ସରିଗଲା ପରେ

ଚିପୁଡା ହୋଇ ଫିଙ୍ଗି ଦିଆଯାଏ

ରାସ୍ତା କଡ଼ରେ

ଅବା ଅଳିଆଗଦାରେ। ।


ପରିସ୍ଥିତି ତାକୁ ଆହୁରି

ପକ୍ଵ କରିଦେଲାଣି

ବୁଝେଇ ବି ଦେଲାଣି

ଉତ୍ତୁଙ୍ଗ ଦୁଇ ମୁଠା ମାଉସ

ପାହାଡ଼ି ଉପତ୍ୟକା ଅନ୍ଧାରୀ ଗୁହା ସର୍ବସ୍ବ 

ତା'ର ଜୀବନ l


ସେ କିଛି ନୁହେଁ

ଅଛୁଆଁ ଅଛବ ଝିଅଟିଏ

ଜଙ୍ଗଲି ଜୀବଟିଏ ।।

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy