ଅବ୍ୟକ୍ତ
ଅବ୍ୟକ୍ତ
କେବେ କେବେ ଇଚ୍ଛା ହୁଏ
ତୁମ ଛାତିରେ ମଥା ରଖି
ମୋ ମନର କୋହ ସବୁ
ଢ଼ାଳି ଦେବି ଆଖିର ଲୁହରେ।
ଦେବି କହି ଅବ୍ୟକ୍ତ ଅଭିପ୍ସା
ଲୁକାୟିତ ଅଜସ୍ର କାହାଣୀ
ମରମ ବେଦନା ଯେତେ
ଯିବି ମୁଁ ବଖାଣି ଅକାତରେ।
ହେଲେ ମୁଁ ପାରେନି କହି
ଅପବାଦର ଭୟରେ
ଅବା ତୁମର ଭୟରେ।
ହଁ, ତୁମକୁ ଭୟ କରେ
ବୋଲି ତ ଲଂଘିବାର
ଚେଷ୍ଟା ବି କରିନି କେବେ
ଏରୁଣ୍ଡିବନ୍ଧ ସଂପର୍କର ଦ୍ୱାହିରେ।
ତୁମେ ମୋ ଭଲପାଇବାକୁ
ଭାବ ମୋର ଦୁର୍ବଳତା
ସଂଭ୍ରମତାର ଓ ସଣ୍ଠଣାର ବେଡି ପିନ୍ଧାଇ
ନେଇଛ ପୋଷା ମନେଇ କୌଶଳରେ।
ମୁଁ କାନ୍ଦେ ରୀତିମତ ସବୁଦିନ
ଗୁମୁରି ଗୁମୁରି ସର୍ବ ଅଲକ୍ଷ୍ୟରେ
ତୁମ ଦ୍ବାରା ଅବହେଳିତ
ହେବାର ଦାରୁଣ ସଙ୍ଘାତରେ।
ତୁମେ କିନ୍ତୁ ନିର୍ବିକାର, ବିଭୋର
ତୁମ ସ୍ବପ୍ନର ଖିଆଲି ଅମରାବତୀରେ
ତୁମ କାହାଣୀ ଆଉ କାଳ୍ପନିକ
ଅପସରୀମାନଙ୍କ ସହ ଅଭିସାରରେ।