STORYMIRROR

Dr. Pratap Kumar Swain

Tragedy

3  

Dr. Pratap Kumar Swain

Tragedy

ଅବ୍ୟକ୍ତ ଦୁଃଖ

ଅବ୍ୟକ୍ତ ଦୁଃଖ

1 min
183

ଚୁପଚାପ୍ ଏକ ବନ୍ଦ କୋଠରୀଟିରେ

କରୋନା ରୋଗୀଟି ନିରବରେ ବସି ଭାବେ

କି ପାପ କରିଛି ମୁଁ ବା କେଉଁ ଜନମରେ

ଭୋଗୁଅଛି ଏଠି ରୋଗର ଯନ୍ତ୍ରଣା ଏବେ।


ପରିବାର ଲୋକ ଛୁଅଁନ୍ତି ନାହିଁ ଯେ ମୋତେ

କାଳେ ସେମାନଙ୍କୁ ଭୂତାଣୁ ସଂକ୍ରମିଯିବ

ଜ୍ଜ୍ୱର ଛାଡୁ ନାହିଁ ଔଷଧ ଖାଇଲେ ଯେତେ

ଭାବୁଛି କେବେ ମୋ ଦେହ ଭଲ ହୋଇ ଯିବ।


ଯେବେଠୁ ରିପୋର୍ଟ ଆସିଲା ମୁଁ ସଂକ୍ରମିତ

ସଂଗରୋଧରେ ରହିଲି ମୁଁ ନିଜେ ଯାଇ

ପରିବାର କଥା ଭାବି ମୁଁ ଚିନ୍ତାଗ୍ରସ୍ତ

କାହାକୁ ଟିକିଏ ଦେଖି ବି ହେଉନାହିଁ ।


ମୁଁ ସିନା ରହିଛି ଡାକ୍ତରଖାନାରେ ବନ୍ଦୀ

ମନେ ମନେ ସଦା ପରିବାର କଥା ଭାବେ

ରୋଜଗାର ପନ୍ଥା ଯାଇଛି ମୋହର ଛିଣ୍ଡି

ପିଲାଛୁଆ ସବୁ ଅଛନ୍ତି ପରା ଅଭାବେ।


କେଉଁ ଦୋଷ ଲାଗି ଏ ରୋଗ କଷଣ ସହି

ଚୁପଚାପ୍ ତାର ଉତ୍ତର ଖୋଜୁଛି ନିତି

ସପନ ସବୁ ମୋ ରହି ଅଛି ଅଧା ହୋଇ

କେବେ ପାହିବ କରୋନାର କାଳ ରାତି ।


ଭଗବାନଙ୍କୁ ମୁଁ ଡାକୁଅଛି ବିକଳରେ

କରୋନା ହଟାଅ ଭାରତବର୍ଷରୁ ପୁଣି

କେତେ ଯେ ଜୀବନ ଝଡିଲାଣି ଅକାଳରେ

କ୍ଷମା ଦେଇ ପ୍ରଭୁ ସଂସାରକୁ ରଖ ତୁହି

ନହେଲେ ସୃଷ୍ଟି ପଡିବ ଧ୍ୱଂସ ମୁଖରେ।


ଯଦି ତୁ ନ ହେବୁ ସାହା ଏହି ବିପଦରେ

ମଣିଷ କାହିଁକି ଡାକିବ ବା ଆଉ ତୋତେ

ସତ୍ତା ଲୋପ ଯଦି ହୁଏ ଏ ଧରା ବକ୍ଷରେ

କି ଯଶ ପାଇବ କୁହ ପ୍ରଭୁ ଥରେ ସତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy