ଅବୁଝା ହୁଅନା ମୋ ସୁନା ଧନ
ଅବୁଝା ହୁଅନା ମୋ ସୁନା ଧନ
ଅବୁଝା ହୁଅନା ମୋ ସୁନା ଧନରେ
ମୋ ସୁନା ଚାଙ୍ଗୁଡ଼ି ତୁହି
ତୁ ପରା ମୋର ମଣି ମାଣିକରେ
ଦୁଃଖ ପାଶୋରା ରେ ତୁହି ।
ଅବୁଝା ହୁଅନା ମୋ ସୁନା ଧନରେ
ମନ ଦେଇ ବାରେ ଶୁଣ
ମଣିଷ ଜନମ ଦୁର୍ଲଭ ଜନମ
ମନେ ରଖିବୁ ରେ ଧନ ।
ଅବୁଝା ହୁଅନା ମୋ ସୁନା ଧନରେ
ତୁହି ମୋ ହସ ର ପେଡି
ହସ ବାଣ୍ଟୁ ଥିବୁ ସନ୍ତୋଷ ଲଭିବୁ
ପଥ ନ ଯିବୁରେ ହୁଡି ।
ଅବୁଝା ହୁଅନା ମୋ ସୁନା ଧନରେ
ଜିଦି ବାବୁ କର ନାହିଁ
ଦୁଃଖ ଓ ସୁଖରେ ସମଭାବାପନ୍ନ
ରହିବୁ ମୋ ଧନମଣି ।
ଅବୁଝା ହୁଅନା ମୋ ସୁନା ଧନରେ
ମୋ କଥାକୁ କାନେ ନେଏ
ସମୟର ମୂଲ୍ୟ ସଦା ମନେ ହେଜି
ପାଦ ତୁ ପକାଇ ଦେଏ ।
ମୋ ସୁନା ଧନରେ ଜୀବନକୁ ସଦା
ପ୍ରୀତିର ମହକ ଦେଇ
ପ୍ରେମ ପରିଭାଷା ବୁଝି ତୁ ଧନରେ
ପ୍ରେମ ଗଙ୍ଗା ଦେ ବୁହାଇ ।
ଅବୁଝା ହୁଅନା ଅଷ୍ଟରତ୍ନ ମଣି
ତୁହି ମୋ ଗଳା ର ହାର
ତୋହର ହସରେ ମୁକୁତା ଝରଇ
ତୁହି ମୋ ହସ ଜୁଆର ।
ତୁହି ଇଶ୍ଵରଙ୍କ ଶ୍ରେଷ୍ଠ ଉପହାର
ମୋ ପାଇଁ ଅମୂଲ ମୂଲ
ଅବୁଝା ହୁଅନା ମୋ ସୁନା ଧନରେ
ଦୁନିଆକୁ ପାଆ ଭଲ ।
ଅବୁଝା ହୁଅନା ଆରେ ଧନମଣି
ଧନ ପାଇଁ କିମ୍ପା ଚିନ୍ତା
କରମ ଡଙ୍ଗାକୁ ସଳଖେ ବାହି ନେ
ଜୀବନେ ନ ଥିବ ଶଙ୍କା ।
ଅବୁଝା ହୁଅନା ପଥ ତୁ ନ ହୁଡ଼
ଜୀବନ ଲକ୍ଷ୍ୟ ବୁଝି ନେ
ପ୍ରଭୁ ଦତ୍ତ ଏଇ ଶ
ରୀର କୁ ବାବୁ
ସୃଷ୍ଟିକୁ ସମର୍ପି ଦେଏ ।
ଆରେ ଗୁଣ ମଣି ମୋ ଫୁଲ ଚାଙ୍ଗୁଡି
ଫୁଲରେ ମହକ ଦେଏ
ଜୀବନ ଫୁଲର ପ୍ରତି ପାଖୁଡ଼ାରେ
ପ୍ରଭୁ ନାମ ଲେଖି ଦେଏ ।
ଅବୁଝା ହୁଅନା ମୋ ସୁନା ଧନରେ
ସଂସ୍କୃତି ପାଶୋରି ନ ଦେ
ବିବେକର ଡାକ ସଦା ଶୁଣୁ ଥାଆ
ଆତ୍ମାର ଡାକ ଶୁଣି ନେ ।
ଅବୁଝା ହୁଅନା ଭୟ ତୁ କର ନା
ସତ୍ୟ ଧର୍ମେ ପଥ ଚାଲେ
ସତ୍ୟ ଧର୍ମ ପଥ ନିର୍ଭୟ ନିଶଙ୍କ
ଏ କଥା ଶାସ୍ତ୍ର ଯେ କହେ ।
ଜୀବନ ପଥକୁ ଯେମିତି ଗଢିବୁ
ଆରେ ମୋ ସୁନା ସଙ୍ଖାଳି
ସୁଖ ଦୁଃଖ ସବୁ ତୋ ହାତ ତିଆରି
ଏ କଥା ଯିବୁନି ଭୁଲି ।
ଅବୁଝା ହୁଅନା ମୋ ସୁନା ଧନରେ
ଇନ୍ଦ୍ରିୟ ଲଗା ସୁ ପଥେ
ଇଶ୍ଵର ଦତ୍ତ ଏ ମନ ଚୈତନ୍ୟ କୁ
ସୁଚିନିଷ୍ଠତା ରେ ରଖେ ।
ଅବୁଝା ହୁଅନା ମୋ ଦୁଃଖୀ ଶଙ୍ଖାଳି
ସପନ ତୁ ଦେଖୁ ଥାଆ
ହେଲେ ଆକାଶରେ ଉଡ଼ିବା ସପନେ
ମାଟିକୁ ଭୁଲି ନ ଯାଆ ।
ମୋ ହସ ଚାଙ୍ଗୁଡ଼ି ରଙ୍କ ରତନରେ
ମାନବତା ଭୁଲ ନାହିଁ
ଶାନ୍ତି ଖୋଜି ଖୋଜି ବାଇଆ ହୁଅନା
ନିଜକୁ ଦେଖି ନେ ତୁହି ।
ଭଲ ମଣିଷ ଟେ ହୋଇଲେ ଧନରେ
ମୋ ଛାତି ଫୁଲି ଉଠିବ
ଶାନ୍ତି ତୋ ସାଥିରେ ସହଚର ଥିବ
ବ୍ୟକ୍ତିତ୍ଵ ଉଜ୍ଜ୍ଵଳ ହେବ ।
ତୋ ଖୁସୀ ଦେଖିଲେ ସନ୍ତୋଷ ଲଭିବି
ଆନନ୍ଦେ ବିଭୋର ହେବି
ମୋ ଧନ ହୋଇଛି ଭଲ ମଣିଷ ଟେ
ଖୁସୀରେ ମୁଁ କହୁ ଥିବି ।