ଅବସର
ଅବସର
ମନେପଡେ ବେଶୀ ସେ ଅଭୁଲା ସ୍ମୃତି
ଗଲାଦିନ ପିଲାବେଳ
ଯାଇଥିଲି ଛାଡ଼ି ମୋ ଜନମ ମାଟି
ଗାଁ ଦାଣ୍ଡ ଧୂଳିଖେଳ ।
ଜୀବିକା ଅର୍ଜନ ଜୀବନ ଧାରଣ
ସେବା ବୃତ୍ତି ଉପଲକ୍ଷେ
ବିତିଲା ଯୈ।ବନ କରମ କର୍ତ୍ତବ୍ୟେ
ଆପ୍ରବାସେ ଦୁଃଖ ସୁଖେ ।
ଅବସର ବେଳେ ଆସିଛି ମୁଁ ଫେରି
ଅବସନ୍ନ ତନୁ ମନ
ଭାଳୁଛି ମୁଁ ବସି ହଜିଗଲା କାହିଁ
ସେ ଅତୀତ ସୁଖ ଦିନ ।
ଦଳ ପଙ୍କ ପୂର୍ଣ୍ଣ ତଡାଗ ନିର୍ଝର
ନାହିଁ ଫୁଲେ ପୂର୍ବ ବାସ
ଗାଁ ଦାଣ୍ଡେ ଆଉ ପଡୁନି ଉଛୁଳି
କଳରବ ମଧୁ ହାସ ।
ଚନ୍ଦ୍ର ସୂର୍ଯ୍ୟ ଯେହ୍ନେ ରାହୁ କେତୁ ଗ୍ରାସେ
ଦିଶେ ମ୍ଳାନ ଅନୁଜ୍ଜ୍ୱଳ
ଦିଶଇ ବିଷର୍ଣ୍ଣ ପ୍ରତି ଜନ ମନ
ହତ ସୁଖ ଶିରୀ ଜ୍ଞାନ ।
ଅନ୍ତସାରଶୂନ୍ୟ ହୃଦୟ ସଂସାର
ରୋଗ ଦୁଃଖେ ସନ୍ତାପିତ
ସେନେହ ଶରଧା ଭକତି ବିହୁନେ
ଜନ ମନ ମୃତ ବତ ।
ହସୁ ନାହିଁ କ୍ଷେତେ ସୁନାର ଫସଲ
ଉଜୁଡଇ ପରିବାର
ସୁଲଭ ସଂସ୍କୃତି ଏବେ ପାଲଟିଛି
ମଦ ନିଶା କାରବାର ।
କ୍ଷିନ୍ନ ଭିନ୍ନ ସବୁ ଘର ପରିବାର
ଶ୍ରମ ବିମୁଖ ପୁରୁଷ
କଳ ବଳ ଛଳେ ମେଲା ଖାଇବାରେ
ଦୁରୁଜନ କୁଅଭ୍ୟସ୍ତ ।
ବୃଦ୍ଧ ମାତାପିତା ହୁଏ ହତାଦର
କୁପୁତ୍ର ଅଯୋଗ୍ୟ ପାତ୍ରେ
ପତିତ ସମାଜ ସପନ ଉତ୍ତାଳ
ସ୍ଥିତି ନରକ ଗହ୍ୱରେ ।
ଜୀବନର ପଥେ ଏକା ପଦାତିକ
ଆହତ ମୁଁ ପରାହତ
ବାତାୟନେ ବସି ଦେଖୁଛି ନିରେଖି
ଖୋଜୁଅଛି ମୁକ୍ତି ପଥ ।
ଉଡ଼େ ପ୍ରଜାପତି ଗୁଞ୍ଜରେ କାକଳି
ଶୁଭେ ଘଣ୍ଟ ଘଣ୍ଟା ଧ୍ୱନି
ବିଲ୍ୱ ନାରିକେଳ ଫଳ ପୁଷ୍ପ ଗନ୍ଧେ
ହୁଏ ଯୋଗ ରାଗ ଗୁଣି ।
ଶାନ୍ତି ଶତଦଳ ମୋ ପଦ୍ମ ଆସନ
ପ୍ରଶାନ୍ତ ପଦ୍ମ ନିବାସେ
ସ୍ୱଚ୍ଛନ୍ଦ ସ୍ୱସ୍ତିକେ ହେଉ ଆତଯାତ
କାୟାଛାୟା ଶୁଭାଶୀଷେ ।
ଜାଳୁଛି ପ୍ରଦୀପ ନୀତି ସନ୍ଧ୍ୟା ଧୂପ
ସ୍ମରି ପ୍ରଭୁ ଶୁଭ ନାମ
ଖୋଜୁଛି ଚେନାଏ ନିର୍ମଳ ଆକାଶ
ସବୁଜ ଜୀବନ ପ୍ରାଣ ।
ହେ ପରମ ଇଷ୍ଟ ରାଧା ଗୋପୀନାଥ
ଜୟ ମା ସର୍ବ ମଙ୍ଗଳା
ହେ ମଧୁକେଶ୍ୱର ମାଆ ବାସୁଳାଈ
ଜାଗୁଳାଇ ଉଗ୍ରତାରା ।
ତୁମ ଶୁଭ ନାମ ଜୀବନ ସ୍ପନ୍ଦନ
ବରଷୁ ଧାରା ଅମୃତ
ସତ୍ୟ ଧର୍ମ ପଥେ ବିତିଯାଉ ଦିନ
ମୁକତି ଲଭୁ ଭାରତ ।
-------------------
