ଅବସୋସର ଧୂଆଁ
ଅବସୋସର ଧୂଆଁ
ମନ ପାଖେ ପ୍ରିୟ ପହଞ୍ଚିଗଲଣି
ହୃଦୟ ଵା କେତେ ଦୂର
ଅଡି ଵସିଅଛ ତୋଳିବାକୁ ତୁମେ
ମିଳନର ଛୋଟ ଘର ।
ସପନରେ ତୁମେ ଏବେ ବି ଭାସୁଛ
ଵାସ୍ତଵକୁ ଟିକେ ଫେର
ପ୍ରୀତି ଓ ପ୍ରଣୟ ଛୁଇଁବାକୁ ମନା
ଲମ୍ବିଛି ଲକ୍ଷ୍ମଣଗାର ।
ସମାଜ ଗଢିଛି କେତେ କଟକଣା
ମାଙ୍ଗଳିକ କର୍ମ ପାଇଁ
କେମିତି ଏଡିବା ଏରୁଣ୍ଡି ଡେଇଁବା
କଳଙ୍କର ଟୀକା ନାଇ ।
ଘର ପରିବାର କରିଦେଵେ ପର
ବିଶୃଙ୍ଖଳା ଆଚରଣେ
ଗୁରୁ ଗୁରୁଜନେ ଅଶାନ୍ତି ହୋଇଲେ
ଦୁଃଖକୁ ଯେ ଟାଣି ଆଣେ ।
ଜାତି ଜାତକ ଓ ଯଉତୁକ ପ୍ରଥା
ଏବେ ସୁଦ୍ଧା ପ୍ରଚଳିତ
ସେ ବିଧିବିଧାନ ନ ମାନି କି ହେଵା
ନିୟମରୁ ବହିର୍ଭୂତ ।
ନୀଚ କୁଳେ ଜାତ ଵୋଲି ଅଭିଶପ୍ତ
ସୌଭାଗ୍ୟ ଯେ କୋଶେ ଦୂର
ଜହ୍ନ ପାଇଁ କିମ୍ପା ଵଳାଇବି ମନ
( ମୁଁ ) ଉଆଁସୀର ଅଶ୍ରୁଧାର ।
ପ୍ରେମୀ ମନସ୍ତାପ କିଏ ବା ମାପିଵ
ନିରିଦୟ ଏ ଦୁନିଆଁ
ଵେଦନାର ବହ୍ନି କୋହଭରା ଧ୍ବନି
ଅବସୋସର ସେ ଧୂଆଁ ।
ଜାଳିଵି ଜାଗର ରହି ଉଜାଗର
ନିଃଶ୍ବାସ ମୋ ଥିବାଯାଏଁ
ଜନ୍ମ ଜନ୍ମ ପାଇଁ ରହିଥିଵି ଚାହିଁ
ପ୍ରେମ ଯଦି ଦୂରେ ଧାଏଁ ।
ମିଳନ ମନ୍ଦିର ତୋଳିବାକୁ ଦୁହେଁ
ନେଵା ଆଉ ଏକ ଜନ୍ମ
ସାର୍ଥକ କରିବା ଆତ୍ମ ଅଭିଳାଷ
ଵିକଶିଵ ପ୍ରୀତିପଦ୍ମ ।
ପ୍ରେମ ନୈସର୍ଗିକ ପବିତ୍ର ଶାଶ୍ଵତ
ସମ୍ପର୍କର ମଧୁଛନ୍ଦ
ଅନନ୍ତ ପ୍ରତୀକ୍ଷା ଶ୍ରୀରାଧାଙ୍କ ଦୀକ୍ଷା
ଝରେ ନିତି ମକରନ୍ଦ ।
