ଅଭ୍ର
ଅଭ୍ର
ଉଡିବାକୁ ଇଛା ଦୂର ଗଗନେ
ନିତି ଆଶା ବାନ୍ଧେ ଏଇ ମୋ ମନେ l
ଗର୍ବ କରି ହସି ଦେଲା ଆକାଶ
କହିଲା ବାନ୍ଧୁଛୁ ମିଛେ ତୁ ଆଶ l
ସାଧାରଣ ଅଟୁ ତୁହି ମାନବ
ତଥାପି ଉଡିବୁ ଭାବୁଛୁ ନଭ l
ଆକାଶକୁ ଚାହିଁ ଉତ୍ତର ଦେଲି
ଦେଖାନାହିଁ ଗର୍ବ ଉଞ୍ଚା ତୁ ବୋଲି l
ହସୁ ଅଛୁ ଆଜି ମୋର ଉପରେ
ସମୟ ଆସୁଛି ଅପେକ୍ଷା କରେ l
ଉଡିବି ମୁହିଁ ଯେ ଦୂର ଗଗନେ
ତୁହିବି ଦେଖିବୁ ନିଜ ନୟନେ l
ମାଟିକୁ ଦେଖିବା ପାଇଁ ତୁହି କି
ତଳକୁ ଚାହୁଁ ଯେ ମୁଣ୍ଡ ନଇଁ କି l
ତୋ ପରି ଅଛନ୍ତି ଅନେକ ଜନ
ଦେଖିବେ ସମସ୍ତେ ଦିନେ ନା ଦିନ l
ପରିଶ୍ରମ ବଳେ ଛୋଟ ପିମ୍ପୁଡି
ଇମାରତ ଚଢେ ସେ ଉଠି ପଡି l
ସାଧନା ବଳରେ ଟିକି ଚଢେଇ
ସୁନ୍ଦର ବସା ଟେ ସେହି ଗଢଇ l
ନାହିଁ ମୋର ପାଖେ ସେ କୁନି ଡେଣା
ଆଶା ମୋର ଉଞ୍ଚ ସ୍ବପ୍ନ ମୋ ଡେଣା l
ପହଂଚିବି ଯେବେ ଲକ୍ଷ୍ୟ ସ୍ଥଳରେ
ପାଇବୁ ତୁ ମୋତେ ତୋର ପାଖରେ l
ତୋହର ଛାତିକୁ ମୁହିଁ ଯେ ଚିରି
ଉଡ଼ିବୁଲିବି ମୁଁ ଗଗନ ପୁରି l
ମୋହଠାରୁ ଶୁଣି ଏତିକି କଥା
ଭାଙ୍ଗି ଗଲା ଗର୍ବ ନୋଇଁଣ ମଥା l
କ୍ଷମା କରିଦେବୁ ରେ କୁନି ପିଲା
ଆକାଶ ମୁଁ ମୋର ଆଖି ଖୋଲିଲା l
କରିବିନି ଆଉ କେବେ ବି ଗର୍ବ
ବୁଝିଗଲି ମୁହିଁ ତୋ କଥା ସର୍ବ l
ପରିଶ୍ରମ ଆଉ ସାଧନା ବଳେ
ନିଶ୍ଚୟ ଆସିବୁ ତୁହି ମୋ କୋଳେ l