STORYMIRROR

ବି. ନିରୁପମା

Romance Action Others

4  

ବି. ନିରୁପମା

Romance Action Others

ଅଭିଯୋଗ ଆଉ କରନା

ଅଭିଯୋଗ ଆଉ କରନା

1 min
291

ସବୁବେଳେ ତୁମେ ଟିକିଏ କଥାରେ

ହେଉଅଛ ଭାରି ଫୁଲେଇ,

ଦୁମୁଦୁମୁ ଗୋଡ଼ କଚାଡ଼ି ଚାଲୁଛ

ମୁହଁଟାକୁ କରି କୁଲେଇ ।


କାହାଣୀ ସେଦିନ ପଢ଼ୁ ପଢ଼ୁ ମୋର

ପଚାରିଲ କିଏ ବନାନୀ,

କବିତା ପଢିକି ବାଉଳି ହେଉଛ

କିଏ ଶୋଭା, ସ୍ୱାତୀ, ମାନିନୀ ।


କେତେଥର କୁହ ଆଉ ବୁଝାଇବି

ସିଏ ମୋ ଲେଖାର ନାୟିକା,

କିଏ ଅଧ୍ୟାପିକା କିଏ ଅଭିନେତ୍ରୀ

କିଏ ଅବା ଜଣେ ଗାୟିକା ।


ତାଙ୍କ ସହ ଭିନ୍ନ ସମ୍ପର୍କ ମୋ ନାହିଁ

କହିଲେ ଯାଉଛ ହୁରୁଡ଼ି,

ଏତେ କଥା କେହ୍ନେ ଜାଣିଲ ତା' କୁହ

ନ ଯାଇକି ଆଉ ବିଗିଡ଼ି ।


କହିଲ ସେଦିନ ବୋକୀ ଭାବିଅଛ

ଭୁଲିବିନି ତୁମ କଥାରେ,

କଥା ବାଆଁରେଇ କହିଲେ ମୁଁ କିଛି 

ଦିଶ ନାଲି ଲଙ୍କା ଯଥାରେ ।


ଧମକାଅ ଘରେ କହିଦେବି ଖୋଲି

ପ୍ରେମିକା ତୁମର ହଜାର,

ହସ ଲାଗେ ମୋତେ ସେଇକଥା ଶୁଣି

ରାଣୀ ସେତେ ସିନା ରାଜାର ।


ମୁଁ ପରା ଲେଖକ ଲେଖା ମୋର ଯେତେ

ଅଟନ୍ତି ମାନସ ସନ୍ତାନ,

କିଛି ଅନୁଭୂତି ଦେଖାଶୁଣା ଆଉ

କଳ୍ପନା ବାସ୍ତବ ମିଳନ ।


ଯେତେ ଝିଅଙ୍କର ରୂପ ଗୁଣ ବର୍ଣ୍ଣି

ଲେଖିଲେ କାହାଣୀ କବିତା,

ତୁମଠାରୁ ଟିକେ ଊଣା ହେବେ ନିଶ୍ଚେ

ଅର୍ଦ୍ଧାଙ୍ଗିନୀ ଚିର ଶୋଭିତା ।


ଏଇମାନେ ସିନା ଲେଖାର ନାୟିକା

ତୁମେ ମୋ ହୃଦୟ ଈଶ୍ବରୀ,

ସୁଖେ ଦୁଃଖେ ସଦା ଥିବି ତୁମ ପାଖେ

ଯିବିନାହିଁ କେବେ ପାସୋରି ।


ମୋ ଲେଖାକୁ କେତେ ପାଠକ ପଢିକି

ଦେଉଛନ୍ତି ମତାମତଟି,

ଦେଖି ଶୁଣି କିବା ଖୁସି ନୁହଁ ତୁମେ

କୁହ ମୋ ଆଗରେ ସତଟି ।


ଶୁଣିଛି ତୁମର ସଙ୍ଗୀଙ୍କୁ କହିଛ

ମୋ ସ୍ୱାମୀ ଲେଖକ ଅଟନ୍ତି,

ପତ୍ରପତ୍ରିକାରେ କାହାଣୀ, କବିତା

ବରାବର ଲେଖୁଅଛନ୍ତି ।


କେତେ ଲୋକ ପଢ଼ି ମତ ଦେଉଛନ୍ତି

କହିବୁ ପଢ଼ିଲେ ତୁ ମୋତେ,

ତାଙ୍କରି ନାଆଁକୁ ସାରା ରାଇଜରେ

ଚିହ୍ନିଲେଣି ପାଠକ କେତେ ।


ଜାଣିଛି ଏ ତୁମ ବାହାନା ଗୋଟିଏ

ମୋତେ ପାଇବାକୁ ପାଶେଟି,

ହସିଲେ ଯେତିକି ଭଲଲାଗ ତୁମେ

ରୁଷିଲେ ବଢ଼ିଆ ଦିଶଟି ।


ଏଥରକ ଟିକେ ବୁଝିଯାଅ ତୁମେ

ଅଭିଯୋଗ ଆଉ କରନା,

ନିଜଠୁ ଅଧିକ ଭଲପାଏ ପ୍ରିୟେ

ଦୋଷାଦୋଷ ମୋର ଧରନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance