ଅଭିଶପ୍ତା ଅହଲ୍ୟା
ଅଭିଶପ୍ତା ଅହଲ୍ୟା
ଯେଉଁ ଅନ୍ଧାରରେ ତୁମେ
ଦିନେ ପାଦ ଥାପିଥିଲ
ରଙ୍ଗରୁ ବେରଙ୍ଗ ସାଜିଥିଲ
ରୂପରୁ ଅରୂପର ମହାଯୁଦ୍ଧରେ
ନିଜକୁ ତିଳ ତିଳ କରି ଜାଳି ଦେଇଥିଲ ,
ପାଷାଣର ଶକ୍ତ ଆବରଣ ତଳେ
ନିଜ ସତ୍ତାକୁ ଲୁଚାଇ ଗୁମୁରି ଗୁମୁରି କାନ୍ଦୁଥିଲ
ଯୁଗ ଯୁଗ ପାଇଁ ,
ନିଜକୁ ଅଥର୍ବ ପଙ୍ଗୁ କରିଦେଇ
ଦେବୀ ଅହଲ୍ୟା ରୁ ପାଲଟିଗଲ
ପାଷାଣୀ ଅହଲ୍ୟା ,
ସେହି ଅନ୍ଧାର ଏବେବି ସତେଜ
ଆଜିବି ବହଳ
ରୁଦ୍ଧ କାରାଗାରର ଶକ୍ତ ପାଚେରି
ଏବେବି ଜୀବନ୍ତ
ସ୍ବାଧୀନତାର ଖୋଳପା ଭିତରେ
ଏବେବି ସଜଳ
ପରାଧୀନତାର ନଗ୍ନ ପ୍ରତିବିମ୍ବ ,
ଏବେବି ଚଳଚଂଚଳ
ବିଚ୍ ରାସ୍ତାରେ ,ଦିବାଲୋକରେ
ରକ୍ତ ଜୁଡୁବୁଡୁ କ୍ଷୀଣ ସ୍ବର,ଆକୁଳ ଚିତ୍କାର
କେହି ଜଣେ ଭାଗ୍ୟହୀନା ଦୁଃଖିନୀ
ଅଭିଶପ୍ତା ଅହଲ୍ୟାର ।।
କେତେ ଅନୁଚ୍ଚାରିତ ଶବ୍ଦମାନଙ୍କ
ସରଳ ଭଗ୍ନାଂଶ
ମର୍ମଭେଦୀ ଅନ୍ତଃସ୍ବର
କେତେ ଯନ୍ତ୍ରଣାକ୍ତ ଓ ବିପର୍ଯ୍ୟସ୍ତ
ଛାତି ତଳର ଗଭୀର ବ୍ୟଥା
ପିଟିହୁଏ ଶୂନ୍ୟରେ , ମହାଶୂନ୍ୟରେ
ବ୍ୟର୍ଥ ହୁଏ ସମୟର ଶେଷ ନିବେଦନ
ସୂର୍ଯୋଦୟରୁ ସୂର୍ଯ୍ୟାସ୍ତ ହୁଏ
ଆକାଶରେ ଭରିଯାଏ ତାରା
ମାଡି ଆସେ ନିଶୀଥ ପ୍ରହର
ଝିଙ୍କରୀର ଝଁ ଝଁ ସୁର ଆହୁରି ପ୍ରଖର ହୁଏ
ଶୁଭେନି କନ୍ୟାଶ୍ରମର କରୁଣତା
ଶୁଭେନି ଅଟ୍ଟହାସ୍ୟ
ନିଛାଟିଆ ନିରୋଳା ରାଜରାସ୍ତାର ,
ଅନ୍ଧାର ବି ଅନ୍ଧ ହୁଏ
ବେଳାଭୂଇଁ ଭିଜିଯାଏ
ଲୁହ ଓ ଲହୁର ଢେଉରେ
ସାଇଁ ସାଇଁ ଝାଉଁବଣ
ଯାହା ନୀରବରେ ଚାହିଁ ରହିଥାଏ ।।
ଓଲଟ ପାଲଟ ହୁଏ ଦସ୍ତାବିଜ
ଦିକି ଦିକି ପାହାନ୍ତିଆ ତାରା
ଲିଭି ଲିଭି ଆସେ
ଅନ୍ଧାରୀ ମୂଲକ ହୁଏ ସୂର୍ଯ୍ୟସ୍ନାତ
ପୁଣି କିଚିରିମିଚିରି
ମୃଦୁ କୋଳାହଳ
ଶୀତଳ ଲାଗେ ଆଗ୍ନେୟଗିରିର ଉତ୍ତପ୍ତ ଲାଭା
ହା ହା ହସୁଥାଏ ଅସହାୟ ନିର୍ବାକ ସମୟ ,
ପାପ-ପୁଣ୍ୟ ର ବିଚାର ବନ୍ଦୀ ହୋଇଯାଏ
ଜହ୍ଲାଦମାନଙ୍କ ଅବିବେକୀ
ନିର୍ଘାତ କାମୁକତାର ଜଉଘରେ ,
କିଛି ଭାବିବା ପୂର୍ବରୁ
କିଛି ଜାଣିବା ପୂର୍ବରୁ
ନିୟତିର ନିଷ୍ଠୁର ପୃଷ୍ଠରେ
ଲେଖି ହୋଇଯାଏ ଭିନ୍ନ ଏକ କାହାଣୀ
ଭିନ୍ନ ଏକ ଅଭିଶପ୍ତା ଅହଲ୍ୟାର ।।