ଅଭିସାରିକା
ଅଭିସାରିକା
ଆଗୋ ଅଭିସାରିକା ମୋ ମନ ନାୟୀକା
ସରଗ ସୁନ୍ଦରୀ ରୂପସୀ ନିଦାଘ ପ୍ରେୟସୀ
ତୋ ପଥ ଚାହିଁ ବସିଛି ଲୋ ତୋ ପ୍ରେମିକା
ଅଙ୍ଗେ ରଙ୍ଗ ଯଉବନ ପ୍ରେମିକ ମନ ମାନସୀ ।
ପଥ ପ୍ରାନ୍ତେ ଉଭା ନଭଶ୍ଚୁମ୍ଭୀ ସୃଙ୍ଗାର ରେ
ଆଖି ଯାଏ ଲାଖି ତୋ ରୂପ ବୈଭବ ଦେଖି
ବଧୂ ବେଶେ ଓଲଟି ଚାହାଁନା ପ୍ରୀତି ଆଖିରେ
ତୋତେ ପର କରି କାହାକୁ ନିଜର କରିବି ।
ନାଲି ଓଢଣିରେ ସରାଗେ ସ୍ମିତହାସ୍ୟ ଭରି
ଚାଲୁ ଚାଲୁ ଯେବେ ବାଟୋଇକୁ ଦେଉ ଚାହିଁ
ତୋ ମଧୁମୟ ରୂପ ରଙ୍ଗରେ ହେବ କିଏ ସରି
ତୋ ମାୟାରେ ଆଛନ୍ନ ହୋଇ ପାଦ ଚଳୁନାହିଁ ।
ଉଦାସି ନୟନେ ଭାବୁ ସ୍ତବ୍ଧ ହୋଇ କ୍ଷଣେ
ସତେ କି ଷୋଡ଼ଶୀ ଅବଳା କୃଷ୍ଣଚୂଡ଼ା ବାଳା
ପଥେ ଛିଡ଼ା ହୋଇ ମୁରୁକି ହସୁଥାଉ ଧିରେ
ମନ ନେଉଅଛୁ ମୋହି କେଉଁ ମାୟାର ଅବଳା ।
କିଏ ଆଙ୍କି ଅଛି ତୋ ଦେହେ ରଙ୍ଗତୂଳି ଧରି
ଦେଖି ତୋର ଶୋଭା ପ୍ରୀତିପ୍ଳୁତ ମନଲୋଭା
କୃଷ୍ଣଚୂଡ଼ା ଦେହେ ସତେକି ଲାଗିଛି ସୁନା ଜରି
ପାଗଳ କରିଛି ସେ ଚିତ୍ରକରକୁ ତୋ ଆଭା ।
କବି ର ହୃଦୟ ନିଶ୍ଚୟ ହେଉଥିବ ଅଥୟ
ଦେଖି ତୋର ସେ ଅମୂଲ୍ଯ ରୂପ ପରାଭବ
ଭାବନାରେ ହଜି କଳ୍ପନାରେ ଖୋଜେ ଶବ୍ଦ
ସରସ୍ବତୀ କୃପା ବଳେ ତୁହିତ ଶବ୍ଦର ଭାବ ।
ତୋ ପାଦ ପାଉଁଜିର ମଧୁର ରୁଣୁ ଝୁଣୁ ସ୍ବର
ଶୁଭୁନାହିଁ ଆଉ ଅଧାବାଟେ କିପାଁ ହେଲା ସ୍ତବ୍ଧ
ଓଲଟି ଦେଖୁ ସ୍ବର୍ଣ୍ଣ ପାଉଁଜି ଭୂଇଁରେ ତୋର
ଆକାଶେ ବିଜୁଳି ଚମକ ଭୂମିରେ ଶେଷନାଗ ।
କଅଁଳ ପାଖୁଡା ପରିକା ହସ ତୋର ମୁକ୍ତା ଝର
ହସିଦେଲେ ବଖାଣିଦିଏ ପ୍ରୀତି ପ୍ରଣୟର ଭାଷା
ତୋତେ ଛୁଇଁବାକୁ ସ୍ନିଗ୍ଧ ବସନ୍ତ ମଳୟ ଅଧିର
ଆଗୋ ପ୍ରୀତି ପ୍ରଣୟିନୀ ପୂର୍ଣ୍ଣ କର ମନୋବାଞ୍ଛା ।
ନିଦାଘର ପାଟରାଣୀ ସାଜି ଦିଅନା ଯାତନା
ବର୍ଷା ବସନ୍ତ ବୈଶାଖ ଋତୁଚକ୍ରେ ଭିନ୍ନ ଅର୍ଥ
ପଳାଶ ଫୁଲ ପରି ଆଉ ନହୁଅ ଆନମନା
ଶୀତୁଆ ସଞ୍ଜରେ ମନେ ଭରିଦିଅ ପରମାର୍ଥ।

