ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
ଅଭିମାନେ ଭକ୍ତ ମନ୍ଦିରେ ଯାଇ
ଶ୍ରୀଜଗନ୍ନାଥଙ୍କ ମୁଖକୁ ଚାହିଁ
ପଚାରିଲା ଆହେ କଳା କହ୍ନାଇ
କପଟିଆପଣ ଛାଡ଼ିଲୁ ନାହିଁ
ହାତ ଗୋଡ଼ ନାହିଁ
ବସିଅଛୁ ଚକା ଆଖି ମେଲାଇ |
ଡାକି ଡାକି ମୋଟେ ଶୁଣିଲୁ ନାହିଁ
ଦୁଆରେ ବସିଛି ତୋ ନିଘା ନାହିଁ
ମିଛେ ଜଗବନ୍ଧୁ ଅଛୁ ବୋଲାଇ
ଦୀନବନ୍ଧୁ ନାମ ବହୁ କିମ୍ପାଇ
ଦୟା ଚିତ୍ତେ ନାହିଁ
ଦୟାସିନ୍ଧୁ ନାମ ଅଛୁ ତୁ ପାଇ |
ବନ୍ଧୁଆକୁ ଦେଲୁ ସୁନା ଥାଳିଆ
ଦାସିଆ ହାତରୁ ନେଲୁ ନଡ଼ିଆ
ରଥରେ ବାନ୍ଧିଲା ତୋତେ ବଳିଆ
ଅରଜୁନ ରଥେ ହେଲୁ ହଳିଆ
ଭାବେ ଦେଲୁ ଖାଇ
ବିଦୁର ଘରେ ଶାଗଭଜା ଯାଇ |
କେତେ ଡାକିଲିଣି କଣ୍ଠ ଫଟାଇ
ପତିତପାବନ ଅଛୁ ଉଡ଼ାଇ
ଗାଳିଖିଆ ଦିଅଁ କମଳା ସାଇଁ
ଆସିଛି ଆଜି ମୁଁ ଶୋଧିବା ପାଇଁ
ଅଭିମାନେ ଧାଇଁ
ଗାଳିଦେବି ଦେଖୁ ବଳିଆ ଭାଇ |
ଶବରୀଠୁ ମୁଁ କି ହିନୀମାନିଆ
ଗଜ ଠାରୁ କି ମୋ ମୂର୍ଖ ପଣିଆ
ମୃ୍ଗୀଠାରୁ ଭକ୍ତି ଭାବେ ତଳିଆ
ଜଇଆ ଭଳିଆ
କବିଟିଏ ହେବି ଇଚ୍ଛା କାଳିଆ |
ଆଜି ଯଦି କଥା ନହେବୁ ତୁହି
ତୋ ଘରେ ଜଳିବ ମୋହରି ଜୁଇ
କରୁଛି ଶପଥ ତୋ ଗୀତା ଛୁଇଁ
ପାଦ ପଡ଼ିବନି ଶ୍ରୀକ୍ଷେତ୍ର ଭୂଇଁ
ହାତେ ତୋତେ ପାଇ
ସବୁ ରାଗ ଆଜି ଦେବି ଶୁଝାଇ |