ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
ମାୟାଭରା ଏଇ ସଂସାର ଭିତରେ
ଲାଗେ ସବୁ ମିଛ ବୋଲି,
ଭାବିଥିଲି ମନେ ଜଗନ୍ନାଥ ସତ୍ୟ
ଦିଅନ୍ତି ଆଶୀଷ ଢାଳି |
ପିଲାଟି ଦିନରୁ ହେତୁ ହେଲା ଦିନୁ
ପ୍ରାର୍ଥନା କରେ ମୁଁ ନିତି,
ବିଦ୍ୟାଳୟେ ଦିନେ ଗୁରୁଜୀ ମୋହର
ଭରିଥିଲେ ବିଭୁ ପ୍ରୀତି |
ଜଗତର ନାଥ ପ୍ରଭୁ ଜଗନ୍ନାଥ
ବିପଦେ ହୁଅନ୍ତି ସାହା,
ତେଣୁ ତାଙ୍କ ପାଦେ ଅଜାଡି ଦିଏ ମୁଁ
ଅନ୍ତର ବେଦନା ଯାହା |
ଜୀବନ ସାରା ମୁଁ ରଖିଛି ଭରସା
ନିଜକୁ ସମର୍ପି ଦେଇ,
କାଣିଚାଏ କୃପା ମାଗିଛି କେବଳ
କିଛି ଦୁଃଖ ଦୂର ପାଇଁ |
ଶୁଣିଛି ସକଳେ ସନ୍ତାନ ତାଙ୍କର
ଦିଅନ୍ତି ବାଞ୍ଛିତ ଫଳ,
କରୁଣାମୟ ସେ ଜଗତ ପାଇଁ ଯେ
କରିଥାନ୍ତି ଯାହା ଭଲ |
ସରି ସରି ଆସେ ଜୀବନର ଆୟୁ
ସୁଖ ନପାଇଲି ଦିନେ,
ଭରସା ଆଜି ମୋ ତୁଟି ତୁଟି ଯାଏ
ଆଶା ମରେ ଭଗ୍ନ ମନେ |
କାହିଁକି ଡାକିବି କେଉଁ ସୁଖ ଆଶେ
ଜୀବନର ଅପରାହ୍ନେ,
ଲୋଡ଼ା ନାହିଁ ଆଉ କୌଣସି ଆଶୀଷ
ଉଦାସୀ ମୋ ଏ ଜୀବନେ |
ଜନମ ଯାହାର ଦୁଃଖ ଭୋଗ ପାଇଁ
ପ୍ରଭୁ କିମ୍ପା ହେବେ ସାହା,
କର୍ମଫଳ ପରା ଭୁଞ୍ଜିବାକୁ ହେବ
ଶୁଣିବେନି ଚଉବାହା |
ଯେତେ ଅଭିମାନ ଭରେ ମୋର ହୃଦେ
ଭୁଲିଯାଏ ପ୍ରତିକ୍ଷଣେ,
ନିତି ପ୍ରାତଃ ସଞ୍ଜେ ଟାଣି ହୋଇଯାଏ
ପ୍ରଭୁପ୍ରୀତି ଭରି ମନେ |
କରେ ମୁଁ ଵିନତୀ ଯେତେ ଦୁଃଖ ଅଛି
ଲଦିଦିଅ ମୋ ଉପରେ,
ସହି ନପାରି ମୁଁ ମରିଯିବି ଶୀଘ୍ର
ଯନ୍ତ୍ରଣା ବି ଯିବ ଦୂରେ |
ମରିଗଲା ପରେ ଚାହେଁନା ମୁଁ ଜଳୁ
ମୋର ଜୁଇ ସ୍ୱର୍ଗ ଦ୍ୱାରେ,
ଲୋଡ଼ା ନାହିଁ ମୋର ଯିବାକୁ ବୈକୁଣ୍ଠ
ସଢ଼ିବି ମୁଁ ନରକରେ |
