ଅଭିମାନ
ଅଭିମାନ
ପକ୍ଷୀ ଟିଏ ମଧ୍ୟ ଉଡ଼ି ପାରେ ନାହିଁ
ଦୁଃଖ ଋତୁ ଆସି ପହଞ୍ଚିଲେ ,
ଅସହାୟ ଫୁଲ କି ' ଶୋଭା ପାଇବ
ଜୀବନର ମୂଲ୍ୟ ସରିଗଲେ ।
ଏ ଛାର ଜୀବନ ଜୀବନ୍ତ ମରଣ
ରୋଗ ଜ୍ଵାଳା ପୂର୍ଣ୍ଣ ଜର୍ଜରିତ ,
ପ୍ରାରବ୍ଧ ପୂର୍ବର କହଇ ସଂସାର
ଚିର ଦିନ ସେ , ଯେ ସନ୍ତାପିତ ।
ବ୍ୟଥା ,ବେଦନା ଯା ' ଚିର ସହଚର
ହଜିଲାଣି ନିଜ ପରିଚୟ ,
ଧୂଳି ଲାଗିଲାଣି ଜୀବନ ପୋଷାକେ
ଆଖିରେ ମୋ' ଖାଲି ତପ୍ତ ଲୁହ ।
ନିଜ ପରିଚୟ ବିବର୍ଣ୍ଣ ହେଲାଣି
ଶ୍ୱାସ ରୁଦ୍ଧ ଭରା ପରମାୟୁ ,
ସ୍ମୃତି ସବୁ ବିଷ ବାଷ୍ପେ ଛଳ ଛଳ
ହୃଦୟରେ ଭାଙ୍ଗେ କୋହ ଢେଉ ।
ଭାଗ୍ୟର ବିଧାତା କାହିଁକି କେଜାଣି
କରିଛନ୍ତି ଭାଗ୍ୟେ ଅଭିମାନ ,
କି' ଦୋଷେ ଲାଞ୍ଛିତ ଅବଳା ଜୀବନ
ଏ' କି ତୁମ ବିଧିର ବିଧାନ ??
ଅସହାୟ ଯେବେ ଜୀବନ ଯନ୍ତ୍ରଣା
ପାପଠୁଁ ପୁଣ୍ୟର ବ୍ୟବଧାନ,
ବିଧିର ବିଧାନ ଅର୍ଗଳି ଭିତରେ
ରହିଗଲା କିଛି ଅଭିମାନ ।
ଦୁର୍ଭାଗ୍ୟ ଆଶ୍ରିତ ବ୍ୟଥିତ ପ୍ରାଣରେ
ପ୍ରଶ୍ନ ମୁଁ ' କରୁଛି ହେ ! ମାଧବ ,
ନଥିଲା କି କିଛି ବିବଶତା ତୁମ
ଭାଗ୍ୟର ବିକଳ୍ପ ମୋ' ଆୟୁଧ ??
