ଆଉ ନ ଡାକିବୁ ରାଧିକା ବୋଲି ରେ ମୁରଲୀ
ଆଉ ନ ଡାକିବୁ ରାଧିକା ବୋଲି ରେ ମୁରଲୀ
ମୁରଲୀ ରେ ତୋର ମଧୁର ମୂର୍ଚ୍ଛନା
ପାଗଳ କରୁଛି ମୋରେ
ସେ ମଧୁ ମୂର୍ଚ୍ଛନା କରେ ଆନମନା
ପ୍ରୀତି ମନ୍ଦାକିନୀ ଝରେ ।
ତୋ ଭିତର ଫମ୍ପା ଆବିଳତା ଶୂନ୍ୟ
ରାଧା ରାଧା ଡାକି ଦେଲେ
ନିଜକୁ ଭୁଲଇ ଅପବାଦ ସହି
ତୋ ତାନ ପାଗଳ କରେ ।
କଦମ୍ବ ମୂଳରେ ଯମୁନା କୂଳରେ
ଅସମୟେ କାହିଁ ଡାକୁ
ନିନ୍ଦା ଅପବାଦ ଭୁଲିଯାଇ ରାଇ
ଦଉଡ଼େ ତୋର ପାଖକୁ |
କେମିତି ବୁଝାଇ କହିବି ସଂସାରେ
ତୋ ପ୍ରୀତି ର ଗୁଢ଼ କଥା
ଦେହୁ ଦେହାତୀତ ତୋ ସଙ୍ଗେ ସଂପର୍କ
ହେଲେ ମିଳେ ଖାଲି ବ୍ୟଥା ।
ତୋର ସାତ ସୁରେ ମନ ଭିଜିଯାଏ
ଶାଶ୍ଵତ ତୋହର ପ୍ରେମ
ଆଉ ତୁ ନଡାକେ ରାଧିକା ବୋଲି ରେ
ନ ବଜା ଅମୃତ ସ୍ୱନ ।
ତୋ ସୁରେ ମୁରଲୀ ରାଧା ରାଧା ଡାକ
ମୋତେ ଉଲ୍ଲସିତ କରେ
ଶିହରଣ ଜାଗେ ଦଉଡ଼ି ମୁଁ ଭାଗେ
କଳଙ୍କ ପସରା ଧରେ ।
ମୁରଲୀ ରେ ତୋତେ ରାଣ ଦେଉଅଛି
ରାଧା ରାଧା ତୁ ନ ଡାକେ
ତୋ ମଧୁ ମୂର୍ଚ୍ଛନା ପ୍ରତିଟି ଛନ୍ଦରେ
ମୋ ପ୍ରେମ ବାରତା ଦେଏ ।
ରାଧା ରାଧା ଆଉ ଡାକ ନାହିଁ ବଂଶୀ
ପ୍ରୀତି ବାରତା ପରଶେ
କହ୍ନେଇ ସଙ୍ଗରେ ମୋ ଶାଶ୍ଵତ ପ୍ରେମ
କଥା କୁ କହ ହରଷେ ।
ତୋ ମଧୁ ଛନ୍ଦରେ କହି ଦେ ମୁରଲୀ
କାହ୍ନୁ ରାଧା ଯେ ଅଭିନ୍ନ
ରାଧା ରାଧା ଆଉ ନ ଡାକି ମୁରଲୀ
ଭ୍ରମ କରି ଦେ ରେ ଛିନ୍ନ ।
କରୁଅଛି ଅଳି ମୋହନ ମୁରଲୀ
ରାଧା ନାମେ ଯେ ବଜାନା
ରାଧାକୃଷ୍ଣ ପରା ଏକ ଓ ଅଭିନ୍ନ
ସେଇ କଥା ତୁ ଯେ ଶୁଣା ।
ରାଧା ରାଧା ବୋଲି ନ ଡାକେ ମୁରଲୀ
ଶାଶ୍ଵତ ପରଶ ଦେଏ
ତୋ ପରି ହୃଦୟ ଖାଲି କରି ବଂଶୀ
ଦେଏ ଅନୁଭବ ଟିଏ |
ଅପୂର୍ବ ଛନ୍ଦରେ ମାଦକତା ଭରି
ପ୍ରୀତି ଛନ୍ଦ ତୋଳି ଦେଏ
ସେ ମଧୁର ଛନ୍ଦେ ପ୍ରୀତି ମକରନ୍ଦେ
ଧରା ନାଚୁ ଯେ ଆନନ୍ଦେ ।
