ଆଉ ବେଶିଦିନ ନାହିଁ
ଆଉ ବେଶିଦିନ ନାହିଁ
ତୁମ କାମନାର ବହ୍ନିରେ ଜଳେ
କେତେ କୁମାରୀଙ୍କ ଦେହ
ତୁମରି ଅୟସ ପାଇଁ କେତେ ଆଖି
ଝରାଏ ଆଖିରୁ ଲୁହ I
ତୁମେ କେବେ ସାଜ ସନ୍ଥ ତ ପୁଣି
କେବେ ସାଜ ତୁମେ ଗୃହୀ
କେତେବେଳେ ତୁମେ ରାଜନେତା ପୁଣି
କେତେବେଳେ ରାଜଦ୍ରୋହୀ I
କେତେବେଳେ ତୁମେ ପ୍ରଶାସକ ସାଜ
କେତେବେଳେ ଶିଳ୍ପପତି
ପରିବେଶ ପରିସ୍ଥିତି ଦେଖି ତୁମେ
ବଦଳାଅ ତୁମ ନୀତି I
ହେଲେକେବେ ତୁମେ ଦେଖିନାହଁ ଦିନେ
ଭୋକିଲା ଆଖିର ଲୁହ
ତୁମ ଶୋଷଣ ଚାବୁକରେ କେତେ
ଅନ୍ତରୁ ଉଠଇ କୋହ I
କେତେ ମାଆଙ୍କର କୋଳ ଖାଲି ହୁଏ
ତୁମରି ଚକ୍ରାନ୍ତ ପାଇଁ
ତୁମରି ଶେଷଣେ ନିତି ନିତି ଜଳେ
କେତେ ଅସହାୟ ଜୁଇ I
ତୁମ ଅନ୍ୟାୟକୁ ଆଉ ବେଶିଦିନ
ସହିବେନି ଭଗବାନ
ବିକଳ ମରଣ ମରିବରେ ତୁମେ
କାଳଗର୍ଭେ ହେବ ଲୀନ I
