ଆତ୍ମନେପଦୀ
ଆତ୍ମନେପଦୀ
କାହିଁକି କେଜାଣି ଗଛ ମାନଙ୍କ ପରି
ଏ ମନର ବି ଆକାଶ ଛୁଇଁବା ନିଶା,
ଶୂନ୍ୟକୁ ଇଛୀବା ନିଶାରେ.
ଦୁର୍ବାର ପଣ,
କାହିଁ କେଉଁ ଅନାଦି କାଳରୁ..,
ଆବହମାନକାଳରୁ
ଆଜନ୍ମରୁ, ସ୍ଵତଃସ୍ପୂର୍ତ୍ତ ଭାବରେ..!
କଣ ପ୍ରିୟତମ ପାଇଁ,
ନା ତା'ର ଉଷୁମ ପରଶ ପାଇଁ,
ଜଳି ଯିବାରେ ବି ଆନନ୍ଦ,
କୁଢ଼ କୁଢ଼ ଯନ୍ତ୍ରଣାର ଆର୍ତ୍ତନାଦ,
ତଥାପି, ଗଭୀର ଅତ୍ମୀୟତା,
କାହିଁକି କେଜାଣି,
କଣ ଅଛି ସେ ଉତ୍ତପ୍ତତାରେ..
ପ୍ରବଳ ପ୍ରବାହର ଉନ୍ମତ୍ତାତାରେ..!
କ'ଣ ମଧୁ ଶ୍ଚୁମ୍ବନରେ..,
ନା ନଭଶ୍ଚୁମ୍ବୀ ଅତ୍ମୀୟତାର
ମହନୀୟ ତଲ୍ଲିନତାରେ..
ତା'ର ଅବିଚଳିତ ଭାବାବେଗରେ,
ନା ଅସୀମ ଆତ୍ମ ସନ୍ତୋଷର
ଉପଲବ୍ଧି ଓ ତୃପ୍ତ ଆତ୍ମାଭିମାନରେ,
ନା କେଉଁ ବିମୋହିତ
ବାସ୍ନାର ମୋହିତ ବିଭୋରତାରେ..!
ସତରେ,ସେ କ'ଣ..?
ସେ କଣ କେଉଁ ଜୀବନ କୁଂଜର
ମଧୁର ଅସ୍ତରାଗର ଛୁଆଁ,
ନା ତା'ପାଇଁ କେଉଁ ରାସ ଚାନ୍ଦିନୀ
ଓ ଚୋରା ମଳୟ ଚର୍ଚ୍ଚିତ
ମୟୂଖ ଅସଂଖ୍ୟ ତାରାପୁଞ୍ଜ
ଆକାଶର ପୁଣ୍ୟତଃ
ନକ୍ଷତ୍ର ମଣ୍ଡଳର ସୁନ୍ଦର ଆସ୍ତର..!
କଣ ପାଇଁ ତୁମର ଏ ବିବର୍ତ୍ତନ,
ଆଉ କଣ ପାଇଁ ଶୂନ୍ୟ ପଥରେ
ଏ ନିଆରା ପରିବର୍ତ୍ତନ
କଣ ଅପୂର୍ବ ମିଳନ, ନାଁ.,
ତୁମ ପାଇଁ ବୋଧହୁଏ ସେ
ନିତ୍ୟ ବୃନ୍ଦାବନ, ଅବା ତୁମେ
ତା ପାଇଁ କେଉଁ ପ୍ରତି ସ୍ପନ୍ଦନ,
ଅବା ତୁମ ମନ କଦମ୍ବ ବନର
ଫୁଟନ୍ତା ଦେବ କୁସୁମ,
ମନ ଖୋଲି କହିବ କି ତୁମେ
ତୁମ ମନରେ ଥିବା ଏ ହୃଦୟ
ଅଭିସାର କି ତୁମ ଜୀବନର
ଶୀତଳ ବଡବାଗ୍ନିର
ସ୍ପର୍ଦ୍ଧିତ କେଉଁ ଧୂସର ସଂଜ..!