ଆତ୍ମ ଅନ୍ବେଷଣ
ଆତ୍ମ ଅନ୍ବେଷଣ
ଖୋଜୁଛି ନିଜକୁ ନିଜ ପରିଚୟେ ସଗର୍ବେ ଉଠାଇ ମାଥ
ଆଞ୍ଜୁଳେ ଆୟୁଷ ସରି ଆସିଲାଣି ଅସରା ଜୀବନ
ପଥ
ଭାଙ୍ଗୁଛି....ଗଢୁଛି ଅୟୁତ ଆୟୁଧ, ପ୍ରଗତି ନିଶୁଣୀ ଚଢି଼
ହାରିବା ଜିତିବା ଖରା ଛାଇ ଖେଳ,ଚେତନାର ନଈବଢି।
ପିଠିରେ ଖଜଣା ମନ୍ଦିରେ ମାଜଣା ଜିଇଁବାର ବୁଝାମଣା
ଅସ୍ମିତା ବକିଛି ଐଶ୍ବର୍ଯ୍ଯ କିଣିଛି ଔଜ୍ଜ୍ୱଲ୍ୟରେ ବାଟବଣା
କିଛି ସ୍ମୃତି ମୋର ମହୁଠୁ ମଧୁର କିଛି ଦହଗଞ୍ଜ ଅବସୋସ
ହେତୁ ହେଲା ଦିନୁ ପାରିଧି କରୁଛି କାମନାର ପରିତୋଷ ।
ପ୍ରାପ୍ତି ପ୍ରାବଲ୍ୟତା ସ୍ବାର୍ଥ ଆବିଳତା, ଜିଇଁବାର ମୂଳମନ୍ତ୍ର
ଯୋଗମୁଦ୍ରା ରେ ବି ଭୋଗ ଭିକ୍ଷା କରେ, ଗର୍ଭଗୃହେ ମହାମନ୍ତ୍ର
ଭାଗବତ ଭୁଲି ସଂସାରେ ବାପୁଡା ସାରୁଛି ନିଧି ସର୍ବସ୍ବ
ଭାଳେନାହିଁ କ୍ଷଣେ ଛୁଟିଲେ ପରାଣ ଜୁଇରେ ମୁଁ ନଗ୍ନ ନିଃସ୍ବ ।
ସୁଖର ସନ୍ଧାନେ ଜଡଠୁ ଜୀବନ୍ତ, କରୁଛି କି ବିଶ୍ଳେଷଣ
ଲକ୍ଷ୍ଯସ୍ଥଳ ଛାଡି ଇତର ବସ୍ତୁରେ, ନିରନ୍ତର ଅନ୍ବେଷଣ ।
