ଆସିଛୁ ଏକା ଯିବୁ ତୁ ଏକା
ଆସିଛୁ ଏକା ଯିବୁ ତୁ ଏକା
ଆସିଛୁ ତୁ ଏକା ଯିବୁ ବି ତୁ ଏକା
ନ ଯିବେ କେହି ସାଥୀରେ
ସ୍ବପ୍ନ ମୟୀ ଏଇ ଦୁନିଆଁ ଅଟଇ
ସାଥୀ କିଏ ସପନରେ ?
ସପନରେ ଦେଖୁ ସବୁ ଏକା କାର
ଜାଗ୍ରତେ ମାୟା ସଂସାର
ମାୟା ମରୀଚିକା ଯେ ମିଛ ମିଛିକା
ଭ୍ରମୁ ଥାଉ ନିରନ୍ତର ।
କଲ୍ପନା ମୁଖରେ କାଳ ନିରନ୍ତରେ
ଭ୍ରମାଏ ପ୍ରାଣୀ ସକଳେ
କେ ଜାଣେ କେ ଦିନ ତେଜିବୁ ଜୀବନ
ଶୋଇ ଯିବୁ କାଳ କୋଳେ ।
ସମୟ କାହାକୁ କରେ ନା ଅପେକ୍ଷା
ନିତି ଦିଏ ନବ ଶିକ୍ଷା
ନବ ନବ ଭାବ ଆଶା ଆଶ୍ୱାସନା
ଯୋଗାଇ ଦିଏ ଆକାଂକ୍ଷା ।
ଅଳପ ଦିନର ସାଥୀ ଏ ସଂସାର
ଅନୁଭୂତ ଅନୁଭୁତି
ଅନୁସାରେ ସର୍ବେ ଅନୁରାଗେ ଭବେ
ଆୟୁ ଭୋଗ କରି ଥାନ୍ତି ।
କେ କାହାର ପଛେ ଯାଏ ନା କେବେ ହେଁ
ଏକା ଏକା ସବୁ ପ୍ରାଣୀ
ଆସନ୍ତି ଯାଆନ୍ତି ଦେଖୁ ନିତି ନିତି
ପାରୁ ନାହିଁ କି, ତୁ ଜାଣି ?
ବୁଦବୁଦ ପରାୟ ଅଟଇ ଜୀବନ
ଶଙ୍କା, ଆଶଙ୍କା ଜଡିତ
ସମୟ କ୍ରମରେ ଜଳ ସ୍ରୋତ ଧାରେ
ରଚେ ମଧୁମୟୀ ଗୀତ ।
ମଧୁର ମୂର୍ଚ୍ଛନା ମାୟା ମନ ଜିଣା
ମୃଗ ତୃଷ୍ଣା ଯୌବନର
ଲାଭା ଲାଭ ଜ୍ଵାଳା କରି ବହୁ ଖେଳା
ଭାବରେ କରେ ବିହ୍ବଳ ।
