ଆଶିଷ ଦେଉଛି ଢାଳି
ଆଶିଷ ଦେଉଛି ଢାଳି
କୁନି ଛୁଆଟିଏ ହୋଇ ଯେବେ ମୁହିଁ
ଖେଳୁଥିଲି ଏକା-ଏକା ,
ଠାକୁରେ ମୋ କଥା ବୁଝି ଭାଇଟିଏ-
ସହ କରିଦେଲେ ଦେଖା।
କୁଆଁ କୁଆଁ ରାବି ସେଇ କୁନିଭାଇ
ଠାରି କି ଡାକିଲା ମୋତେ ,
ଧାଇଁଯାଇ ତାକୁ ଦେଖିଲି ପରା ମୁଁ
ଆଶ୍ଚର୍ଯ୍ୟ ,ଆନନ୍ଦେ କେତେ ।
ପରିବାର ସାରା ଲୋକଙ୍କ ମୁହଁରେ
ଖୁସି ହେଉଥିଲା ବାରି ,
ପାକେଇ ପାଟିରେ ଆଈମା' ହସିଲା
ବାରବାର କିରି କିରି ।
ଅତି ଆନନ୍ଦରେ ବାଣ୍ଟୁଥିଲେ ବାପା
ପିଲାଙ୍କ ସୁଆଦ ଚିଜ ,
ମୋତେ ଲାଗୁଥିଲା ମୋ ଖେଳିବା ସାଥୀ
ମିଳିଗଲା ପରା ଆଜ ।
ସବୁରି ଆଦର ପାଇ ସେଇଭାଇ
ଛୋଟରୁ ହୋଇଲା ବଡ଼ ,
ସୁଗୁଣରେ ତା'ର ମନ ମୋହିନେଲା
ଆଖପାଖ ଚଉକଡ଼ ।
ପାଠ ଶାଠ ଆ
ଉ କଳା, କୌତୁକରେ
ହୋଇଲା ସେ ଧୁରନ୍ଧର ,
ଗୁରୁଜୀ,ଗୁରୁମା' ଆଶିଷ ଲଭିଲା
ପ୍ରିୟ ସହପାଠୀଙ୍କର ।
ଦେଶସେବାକୁ ସେ ବ୍ରତ କରିନେଇ
ହେଲା ପ୍ରତିରକ୍ଷା କର୍ମୀ ,
ଜୀବନର ମୂଲ୍ୟବୋଧ ସେ ବୁଝିକି
ହୋଇଛି ଅଧ୍ୟାତ୍ମ ଗାମୀ ।
ନିଜ କର୍ମ ଆଉ କର୍ତ୍ତବ୍ୟ ପାଳନେ
ହୋଇକରି ସିଏ ରତ ,
ସୁଯୋଗ ମିଳିଲେ କରିଚାଲୁଅଛି
ଆନଜନଙ୍କର ହିତ ।
ସେ ଭାଇର ଆଜି ଶୁଭ ଜନ୍ମଦିନ
ଆଶିଷ ଦେଉଛି ଢାଳି ,
ରଖିଥା'ନ୍ତୁ ମାଆ ପଣତ ଉହାଡ଼େ
କରୁଅଛି ପାଦେ ଅଳି ।
ବିପଦେ,ଆପଦେ ଧଇର୍ଯ୍ୟ ଦେଇକି
ହେଉଥା'ନ୍ତୁ ସଦା ସାହା ,
ମଣିଷ ଭିତରେ ମଣିଷ ହୋଇକି
ସୁନାଭାଇ କରୁ ନାଆଁ ।
ବି ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।