STORYMIRROR

Upendra prasad Mahala

Romance Fantasy Inspirational

4  

Upendra prasad Mahala

Romance Fantasy Inspirational

ଆଶାବରୀ

ଆଶାବରୀ

2 mins
298


ମୁଁ କିଏ ?
ବାରମ୍ବାର ଏ ପ୍ରଶ୍ନ
କେହି ମୋତେ ପଚାରେ
ଏକୁଟିଆ ବେଳେ
କିଏ ? କେଜାଣି !! 

ସତରେ କିଏ ମୁଁ ?

ମଣିଷ ଦେହେ ଦିବ୍ୟ ଜ୍ଞାନ...
କଥାର ମର୍ମ ବୁଝି ପାରେନି
ହାଡ ମାଂସର ଦେହ ଭିତରେ
ଦେଖେ- ରକ୍ତର ନଦୀରେ
ଜୀବନର ଖେଳ
ଭାବରେ ବଶ ଏ ଜଗତ !!

ନା ଚେତନ, ନା ଅବଚେତନ
ଅନ୍ତରରେ 
କାହିଁ ସେ ବିଶ୍ବରୂପ ?
ଶୂନ୍ୟତାର ଅଖଣ୍ଡମଣ୍ଡଳ 
ଘୂରୂଥିବ ମାଳମାଳ ଗ୍ରହ, ନକ୍ଷତ୍ର
ଲମ୍ବିଥିବ ଅନନ୍ତ ଦିଗ ଯାଏ ଛାୟାପଥ
କାହିଁ ତ କିଛି ଦିଶେନି ଆଖିକୁ...
କୁହ, କେମିତି କହିବି
ନିର୍ଗୁଣ ବ୍ରହ୍ମର ମୁଁ ଅଂଶ
ଆଙ୍ଗୁଳିରେ ବି ଟେକି ଦେଇପାରେ
ମନ୍ଦର ପର୍ବତ !! 

କାହାର କୁହୁକ ଏ ବହିର୍ବ୍ରହ୍ମାଣ୍ଡ !!
ଗୁଗୁଲ ମାନଚିତ୍ରରେ ବି କେଉଁଠି  
ଦିଶେନି ଛୋଟ ମୋର ଘର, 
ଅଗଣାରେ ପଡିଥିବା ଖଟ କି ଚେୟାର ।

ଦୁର୍ଲଭ ମଣିଷ ଜୀବନ !!
ସୁଖ ଖୋଜିବାର ବାହାନାରେ
ଏଠି ହଜିଯାଏ ପିଲାଦିନ, ଯୌବନ
ହଜିଯାନ୍ତି ସାଂଗସାଥି
ଭାଂଗିଯାଏ ମନର ଭାବ
ଜୀବନ ବୀଣାରୁ ଛିଣ୍ଡିପଡେ ତାର ।
ମିଛମିଛ ଲାଗେ
ବିଜ୍ଞାନର ବରଦାନ 
କରୋନା ମୃତ୍ୟୁର ଭୟଠାରୁ ବଳିପଡେ
ପେଟ ଓ ମନର ଭୋକ।
ଲୁଡୁପଟାରେ ସାପ ସିଡି ଖେଳ...
ବାଜି ହାରି ବାରମ୍ବାର
ଶୂନ୍ୟରୁ ଖସିପଡୁଥାଏ ଦାନା
ଆଶା-ନିରାଶାର ଜୀବନ !!

ଫେରି ତ ଆସେନି ବିତିଥିବା 
ସମୟ, ପିଲାଦିନ, ଯୌବନ...
ବସ୍ତୁବାଦୀ ଚେତନାକୁ ଆବୋରି
ସୁଖ ପାଇଁ ଘରେ ସାଇତି ଥିବା 
ମୁଲାୟମ ସୋଫା, ରଙ୍ଗିନ ଟିଭି, 
ବାଥ ଟପ୍, ଏସି ରୁମ୍ 
ଲାଗେ କେତେ ଅସାର, ଅସାର ।

ଅନେକ ଅବୁଝା ପ୍ରଶ୍ନ....
ବୁଝି ହୁଏନା
କିଭଳି ରାତାରାତି ଅନେକ ବଦଳିଯାନ୍ତି,
ଦୁଃଖ ସବୁ ରୂପାନ୍ତରିତ ହୁଅନ୍ତି ସୁଖରେ....
କେହି ଦେଖନ୍ତିନି କେମିତି 
ଆଲିସାନ ଗାଡି, କୋଠାବାଡି,
ସୁରମ୍ୟ ବଙ୍ଗଳା ଅହରହ
ପୃଥିବୀ ସହ ଘୂରୁଥାଏ
କ୍ଷିପ୍ର ଗତିରେ, ମହାଶୂନ୍ୟରେ ।

ଅବୁଝା ଜୀବନର ପାଠ
କେବେ ସରେନି, 
ସରେନି ହିସାବନିକାଶ ।
ସହି ହୁଏନି ଆତ୍ମାର ଦହଗଂଜ।

ଦିନ ଯାଇ ରାତି ଆସେ
ଧୀରେ ଧୀରେ ବଢେ ସମୟ
ଆଖିକୁ ଆସେନି ନିଦ
ଘରେ ମୁଁ ବସିଥାଏ ଏକୁଟିଆ
ଜାକିଜୁକି ହୋଇ
ଚେୟାରରେ 
ସେମିତି ସବୁଦିନ ।

ବାରମ୍ବାର ଖୋଜୁଥାଏ ମନ
ଶୁଣିବାକୁ କାହା ସ୍ବର...
ମନକୁ ମନ ପଚାରେ 'କିଏ ମୁଁ'
ଚିହ୍ନି ପାରିଲି କି ନିଜକୁ
ସାରା ଜୀବନ ସଂଘର୍ଷ କରି ??

ଜାଣେ, ଆଖିପତା ପଡିଲେ
ଗହନ ରାତିରେ
କେହି ଜଣେ ଆସେ 
ସ୍ବାନ୍ତନା ଦେବା ଲାଗି
ସଜଫୁଲର ସାଦା ଚାଦର ଘୋଡି 
ନିଃଶବ୍ଦରେ ଏକାଏକା ।

ଆଶାବରୀ ??

ନିଦ ନ ଭାଂଗି ବସିରହେ 
ଶେଯ କଡରେ
ପୋଛିଦିଏ ଲୁହର ଦାଗ
ସାଉଁଳାଇ ଦିଏ ଦେହହାତ
କାଳେ ନିଦ ଭାଂଗିଯିବ ବୋଲି ।
ପଦେ ବି କିଛି କହେନି, 
ପଚାରେନି, ମୁଁ କିଏ ? 
ଅଦୃଶ୍ୟ ସଂଗୀତ ( ରାଗିଣୀ) ଶୁଣାଇ
ଫେରିଯାଏ ।

ନିଦ ଭାଂଗିଲେ ସକାଳେ, ଦେଖେ
ପାଖରେ କେହି ନ ଥାନ୍ତି 
ଘାସ ପଡିଆର କାକର ଫୁଲରେ
ପଡିଥାଏ କାହା ନରମ
ପାଦର ଚିହ୍ନ  
ଫେରିଯିବା ବେଳର..... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance