ଆଶା
ଆଶା
ମନେ ପାଞ୍ଚିଥିବା ସ୍ବପ୍ନ ଆଶା ହୋଇ
ସଞ୍ଚିଥିଲା ମଧୁକୋଷ,
ଭୃଙ୍ଗବର ସାଜି ମତ୍ତ ଆକାଶରେ
ଉଡିଥିଲି ବହୁ କୋଶ ।
ପାଇବା ସହିତେ ଆଶା ଥିଲା ଯେଉଁ
ରଚି ହାସ ମଧୁ ଲାଗି,
ନେଇଥିଲା ବାହି ଡେଣା ଛାଟି କ୍ଷୁଦ୍ର
ମୋ ହୃଦୟର ଉପଭୋଗୀ ।
ସ୍ଵପ୍ନ ତିନ୍ତିବାକୁ ଆଶା ଥିଲା ବିଞ୍ଚି
ପରିଣତ ମନସ୍କାମ,
ପୂର୍ଣ୍ଣ କରି ତାର ତୂର୍ଣ୍ଣ ଗତି ଧରେ
ବିଶ୍ଵାସ ହୁଏ ତା ନାମ ।
ତେଣୁ କିଛି ସ୍ବପ୍ନ ସତ ହୋଇଥିଲା
ବିଶ୍ଵାସ ଅଝାଲ କରି
କରମ ଆହୁଲା ମାରି ଅବିରତେ
ଚାଲୁଥିଲା ମୋର ତରୀ ।
ତହିଁ ଛାଡିଦେଲି କିଛି ଆଶା ଯେବେ
ଠୁଳ କରି ସ୍ବପ୍ନରାଶି,
ବଡ଼ ଅନୁଭବେ ବାରି ମୁଁ ପାରିଲି
ଆଶା ବିହୁନେ ପ୍ରକାଶି ।
ସୁଖର ଲାଳସେ ଆଶା କିବା ମୋର
ଛାଡି ଆସିଲି ଅନ୍ୟତ୍ର,
ଥାଇ ବି ସୋଦର ଅନ୍ଯ ପୁତ୍ର କିବା
ହୋଇପାରେ ତ୍ୟଜ୍ୟପୁତ୍ର ।
ତେଣୁ ସୁଖ ସ୍ଵପ୍ନ ଲୋଡେ ଆଶା ସଦା
ବାସ୍ତବତା କରି ଠୁଳ,
ସୃଜଇ କଳ୍ପନା ମୂଳାଧାରେ ଭାଇ
ଅଭିଳାଷେ କୌତୂହଳ ।
କୌତୂହଳେ ସିନା ବିଶ୍ଵାସ ଅଝାଲେ
ପବନ ମାରେ ଲପଟି,
ତହିଁ ବାହି ପୋତ ଦୂର ଚକ୍ରବାଳେ
ପାରେ ସାର୍ଥକକୁ ସାଉଁଟି ।
ମନ ଊଣା କରି ଆଶାର ବୋଇତ
ରଖନି ଦରିଆ ଅନ୍ତେ,
ଅଜ୍ଞେୟ ଛବିରେ ରାଜଇ ଅଲକ୍ଷ୍ୟେ
ତରଣି ଗୋଟି ଦିଗନ୍ତେ ।
ତା ଆଲୁଅ କଞ୍ଚିକୁ ଗୋଟି ଗୋଟି କରି
ନିରେଖି ହୃଦ ପଥରେ
କଷଟିର ଖାଦ ଭରିବ ଆସ୍ଵାଦ
ଆଶା ଭରି ଅଗୋଚରେ ।
ଜନ୍ମ ଚକ୍ର ତହିଁ ଖଣ୍ଡି ପଡିଯାଇ
ଲୋଟେ ବିଭୁ ପଦାମ୍ଵୁଜ,
କରମଫଳକୁ ଆନେ କିବା ନର
ଦେଖିଛି ହୁଏ ଅରଜ ।
ଆପଣା କରମେ ସ୍ଵର୍ଣ୍ଣଶସ୍ୟ ଖେଳେ
ସ୍ବପ୍ନିଳ କେଦାର ପୁଞ୍ଜି,
ତହିଁ ଅମଳିନ ଅମଳ ଧାନର
ସାର୍ଥକତା ହୁଏ ଭୁଞ୍ଜି ।