ଆଶା ନୀଳତୃଷ୍ଣା
ଆଶା ନୀଳତୃଷ୍ଣା
ଆଶା ନୀଳତୃଷ୍ଣା କାହିଁକି ଆସୁଛ
ମନରେ ଘର କରୁଛ
କେବେ ଦେଖାଉଛ ଅଧୁରା ସପନ
କେବେ ସପନ ଭାଙ୍ଗୁଛ ।
ଆଶା ନୀଳତୃଷ୍ଣା ତୃଷ୍ଣା ଜଗାଉଛ
ଆକାଶେ ଉଡ଼ିବା ପାଇଁ
କାହିଁକି କହୁନ ଏ ମାଟିରେ ପାଦ
ମାଟି ନ ଭୁଲିବା ପାଇଁ ।
ଆଶା ନୀଳତୃଷ୍ଣା ତୃଷ୍ଣା ଜଗାଉଛ
ଆଶା କେବେ ସରୁ ନାହିଁ
ସପନ ଦେଖାଇ ଛଡାଇ ନେଉଛ
କୁହ ଆସ କାହିଁ ପାଇଁ ।
ଜୀବନ ପଥରେ ଖାଲ ଖମା ଦେଇ
ଏ ମଣିଷ ଚାଲୁ ଅଛି
ଆଶା ନୀଳତୃଷ୍ଣା ତୁମ ପାଇଁ ପୁଣି
ଜୀବନ ତରୀ ବାହୁଛି ।
ଆଶା ନୀଳତୃଷ୍ଣା ତୁମେ ଆସି ପୁଣି
ସପନେ ଭିଜାଉ ଅଛ
ସପନ ଭାଙ୍ଗିଲେ ଆଶାରେ ସପନ
ଦେଖିବା ବି ଶିଖାଇଛ ।
ଜୀବନରେ କର୍ମଧାରା ପ୍ରାବଲ୍ୟରେ
ଆଶା ତୁମେ ଆଶା ବାଡ଼ି
ହେଲେ ନୀଳତୃଷ୍ଣା ତୃଷ୍ଣା ଜଗାଅନି
କର୍ମ ବଦଳରେ ସିଡ଼ି ।
ଆଶା ନୀଳତୃଷ୍ଣା ପ୍ରେରଣା ବନ ଗୋ
ପ୍ରେରିତ କର କର୍ମରେ
ଫଳ ଆଶା ତୁମେ ଦେଖାଅ ନାହିଁ ମୋ
ବ୍ୟଥା ନ ଆସୁ ମନରେ ।
ଆଶା ନୀଳତୃଷ୍ଣା ହସର ସପନେ
ଯଦି ବିଭୋର କରାଅ
ଲୁହ ଆସିଲେ ବି ଆଗକୁ ଯିବାକୁ
ଧଇର୍ଯ୍ୟ ଶକତି ଦିଅ ।
ଆଶା ନିରାଶାରେ ଭରା ଏ ଜୀବନ
ଉଠାପକା ଖାଲ ଖମା
ବିଷ ଢାଳ ନାହିଁ ଆଶା ନୀଳ ତୃଷ୍ଣା
ଜୀବନ ଇଶ୍ଵର ଜିମା ।
ଆଶା ନୀଳ ତୃଷ୍ଣା ପତରେ ପତରେ
କେତେ ଯେ ସ୍ୱପ୍ନ ଦେଖୁଛି
ସବୁଜ ଘାସରେ ମୁକ୍ତା ବିନ୍ଦୁ ହୋଇ
କ୍ଷଣେ ଉଭେଇ ଯାଉଛି ।
ସବୁଜ ଘାସରେ ନୀଳତୃଷ୍ଣା ମୁକ୍ତା
ସ୍ଥାୟୀ ବୋଲି ଭାବୁ ଅଛି
କ୍ଷଣିକ ମୋହରେ ଭାସିଯାଉଅଛି
କ୍ଷଣକେ ଲୀନ ହେଉଛି ।
ଆଶା ନିରାଶାରେ ଏ ଜୀବନ ବନ୍ଧା
ଏଇ ତ ଜୀବନ ଖେଳ
ଆଶା ମୂଳଦୁଆ ବାସ୍ତବ ହୋଇଲେ
ସପନ ହୁଏ ସଫଳ ।
ଆଶା ଅସୁମାରୀ ଶେଷ ନାହିଁ ତାର
ଗୋଟେ ପରେ ଆସେ ଅନ୍ୟ
ସଫଳେ ବିଫଳେ ସମ ରହିଗଲେ
ଜୀବନ ହୋଇବ ଧନ୍ୟ ।
କର୍ମ କରିବାଟା ଆମ ଅଧିକାର
ଫଳ ସମୟ ହାତରେ
ପରିବର୍ତ୍ତନକୁ ସ୍ଵୀକାର କରିଲେ
ନିରାଶ ନ ହୁଏ ନରେ ।
କର୍ତ୍ତବ୍ୟରେ ଆଶା ଅଟେ ମୃଗତୃଷ୍ଣା
ଦୁଃଖ ଡାକେ ହାତ ଠାରି
ମଣିଷ ଜୀବନ ଦୁର୍ଲଭ ଜୀବନ
ନିରାଶେ ନ ଯାଉ ମରି ।