ଆସ ସୁଧୁରି ଯିବା
ଆସ ସୁଧୁରି ଯିବା
ବିଶ୍ଵ ପରିବେଶ ଦିବସଟି ଆଜି
ପାଳୁଅଛି ସାରା ବିଶ୍ଵ
ଔଦ୍ଧତ୍ୟ ପଣରେ ଏ ମଣିଷ ଆଜି
ପ୍ରକୃତିକୁ କରି ନିଃସ୍ଵ ॥
ପଞ୍ଚ ମହାଭୂତେ ଗଢା ପରିବେଶ
ଏ କଥା ବିସ୍ମରି ମନୁ
ଜଳ ସ୍ଥଳ ବାୟୁ ଉଦ୍ଭିଦ ନାଶୁଛି
ହୃଦୟକୁ କରି ସ୍ଥାଣୁ ॥
ପ୍ରକୃତିର ଦାନ କରି ନଷ୍ଟଭ୍ରଷ୍ଟ
ଶ୍ରେଷ୍ଠ ଜୀବ ବୋଲାଉଛି
ସୁଶୀତଳ ଶାନ୍ତ ପରିବେଶଟିକୁ
ଅଶାନ୍ତ ଉଗ୍ର କରିଛି ॥
କ୍ରୋଧେ ଜର୍ଜରିତ ହୋଇ କେବେ କେବେ
ପ୍ରକୃତି ସାଜେ ନିର୍ଦ୍ଦୟ
କରାଳ ରୂପକୁ ଧରି ଆସେ ମାଡ଼ି
ସଙ୍ଗେ ନେଇ ବିପର୍ଯ୍ୟୟ ॥
ଫୋନି ଯେ ତିତିଲି କେବେ ଫାଇଲିନ୍
କେବେ ପୁଣି ହୁଡୁହୁଡ଼ି
ସର୍ବଗ୍ରାସୀ ସାଜି ମହାବାତ୍ୟା ପୁଣି
ଅଦିନେ ଆସୁଛି ମାଡ଼ି ॥
ପ୍ରଗତିର ପଥେ ଆଗଉଛି ବୋଲି
ଡିଣ୍ଡିମ ପିଟୁଛି ନର
ମତିଭ୍ରମେ ଆଜି ହୋଇ ପଥଭ୍ରଷ୍ଟ
ଅଜ୍ଞାନେ ହଜିଛି ସ୍ଵର ॥
ଭୂମି ଭୂମା ଆଜି ପ୍ରଦୂଷଣମୟ
ନିର୍ବିକାର ଏ ମାନବ
ଅମୃତ ସନ୍ତାନ ହୋଇ ଏ ଧରାର
ଆଚରଣେ ସେ ଦାନବ ॥
ଗଛ ସଂଖ୍ୟା କମି ବଢ଼ି ବଢ଼ି ଯାଏ
କଳକାରଖାନା ଗାଡ଼ି
ଧୂଳି ଧୂଆଁ ଆଉ ବିକଟାଳ ଶବ୍ଦେ
ପ୍ରଦୂଷଣ ଯାଏ ବଢ଼ି ॥
ବାୟୁ ମଣ୍ଡଳର ଅମ୍ଳତ୍ଵ ବଢୁଛି
ବଢୁଅଛି ତାପମାତ୍ରା
ଅମ୍ଳଜାନ କମି ବଢ଼ି ବଢ଼ି ଚାଲେ
ଅଙ୍ଗାରକାମ୍ଳର ମାତ୍ରା ॥
ରକ୍ଷା କବଚଟି ଓଜୋନ ସ୍ତର ଯେ
ଛିଦ୍ରଯୁକ୍ତ ଆଜି ତାହା
ଚର୍ମ କର୍କଟରେ ଆକ୍ରାନ୍ତ ପୃଥିବୀ
ପାଉନାହିଁ ନିଜ ରାହା ॥
ପ୍ରତିପତ୍ତି ଆଉ ଅର୍ଥ ଲାଳସାରେ
ପଥଭ୍ରଷ୍ଟ ଆଜି ସର୍ବେ
ମନ ଦର୍ପଣରେ ଉଙ୍କି ମାରି ଦେଖ
ଅଛେ ଆମେ କେଉଁ ଭାବେ ॥
ସନ୍ତୁଳନ ନାହିଁ କେଉଁଥିରେ ଆଜି
ସବୁ ଆଜି ପ୍ରାଣହୀନ
ଜୀବନ ଜୀବିକା ଘେନି ବଞ୍ଚେ ସିନା
କଳେବର ଜରାଜୀର୍ଣ୍ଣ ॥
ବିଷମୟ ଆଜି ସାରା ପରିବେଶ
ଖାଦ୍ୟ ପାନୀୟ ପ୍ରଶ୍ଵାସ
ଅମୃତ ଶରୀର ହୁଏ ଆଜି କ୍ଷୀଣ
ଅସୁସ୍ଥ ବାତାବରଣ ॥
ଆପଣା ଦନ୍ତରେ ନିଜ ଜିହ୍ଵା ଛେଦି
ଆନେ କିବା ଦୋଷ ଦେବା
ବେଳ ଥାଉଁ ସର୍ବେ ହୋଇ ସାବଧାନ
ଆସରେ ସୁଧୁରି ଯିବା ॥
ସବୁଜ ସୁନ୍ଦର କରିବା ଏ ଧରା
ସୁସ୍ଥ ହେବ ପରିବେଶ
ତେବେ ଯାଇ ଆମେ ସ୍ଵହସ୍ତେ ଗଢ଼ିବା
ବିଶ୍ଵର ପ୍ରଗତି ବେଶ ॥
ବୃକ୍ଷ ଅଟେ ପରା ବନ୍ଧୁ ଯେ ଆମର
ପ୍ରକୃତି ପରମମିତ୍ର
ଜଳ ବାୟୁ ନେଇ ଜୀବନ ଆମର
ସ୍ମରଣେ ରହୁ ଏ ସୂତ୍ର ॥
ନିଜ ହସ୍ତେ ଆମେ ସଜାଡ଼ି ଦେବାରେ
ଆଜି ନିଜ ପରିସ୍ଥାନ
ପରିବେଶ ଦିନ ନିତି ମନେ ରଖି
କରିବା ବୃକ୍ଷ ରୋପଣ ॥
