ଆସ ବିଚାର କରିବା
ଆସ ବିଚାର କରିବା
ଆସ କରିବା ବିଚାର,
ଧର୍ମ ଅଧର୍ମର
ନ୍ୟାୟ ଅନ୍ୟାୟର
ନୀତି ଅନୀତିର ।
ଆସ କରିବା ବିଚାର,
ଅତ୍ୟାଚାରୀ ହତ୍ୟାକାରୀର
ସମାଜ ଓ ସାମାଜିକତାର
ପ୍ରଥା ଓ ପରମ୍ପରାର
ସଭ୍ୟତା ଓ ସଂସ୍କୃତିର ।
ଆସ ବିଚାର କରିବା,
ନାରୀ ସଶକ୍ତିକରଣର
ନାରୀ ସଶକ୍ତିକରଣ ନାମେ
ନିର୍ଯ୍ୟାତିତ ପୁରୁଷଙ୍କର
ଦଳିତ ଜାତି ନାମେ
ମିଥ୍ୟା ଅପରାଧେ
ଛନ୍ଦୁ ଥିବା ଉଚ୍ଚଜାତି ଜନତାଙ୍କର ।
ଆସ ବିଚାର କରିବା,
ଏକବିଂଶ ଶତାବ୍ଦୀରେ
କନ୍ୟା ଭୃଣ ହତ୍ୟାର
ବଧୂ ନିର୍ଯ୍ୟାତନା ଓ ଯୌତୁକ ନିର୍ଯ୍ୟାତନାର
ପ୍ରଥା ଓ ପରମ୍ପରା ନାମେ
ସାମାଜିକ ଅନ୍ଧ ବିଶ୍ବାସର
ଜାତି ଧର୍ମ ନାମେ ସୃଷ୍ଟ
ସାମାଜିକ ଅସ୍ଥିରତା ଓ ଦ୍ଵନ୍ଦ୍ଵର ।
ଆସ ବିଚାର କରିବା,
ଜାତି ନାମେ
ଉଚ୍ଚ ନୀଚ୍ଚ ଭେଦ ସୃଷ୍ଟି କରୁଥିବା
ଅହଂକାରୀ ଗର୍ବୀ ବ୍ୟକ୍ତି ବିଶେଷଙ୍କର
ଧର୍ମୀୟ ଘୃଣା ସୃଷ୍ଟିକାରୀ
ସାମାଜିକ ବିଭେଦକାରୀ
ରାଜନୈତିକ କ୍ଷମତା ହାସଲକାରୀ
ଦେଶ ଓ ଜାତିର କଳଙ୍କିତ
ବ୍ୟକ୍ତି ବିଶେଷଙ୍କର ।
ଆସ ବିଚାର କରିବା,
ଦେଶର ଶୃଙ୍ଖଳା ରକ୍ଷାକାରୀଙ୍କର
ଶାସନ ପ୍ରଶାସନ କଳର ମୁଖ୍ୟ ମାନଙ୍କର
କେତେ ନୀତି ନିଷ୍ଠ, କର୍ତ୍ତବ୍ୟ ନିଷ୍ଠ,
ଦାୟିତ୍ୱ ବୋଧତା ଅଛି କେତେ ସେମାନଙ୍କର
ଦେଶ ପ୍ରୀତି, ଜାତି ପ୍ରୀତି, ମାଟି ପ୍ରୀତି
କେତେ ଅଛି ଆମ ଶାସନ ପ୍ରଶାସନ କଳର
ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ।
ଆସ ବିଚାର କରିବା,
ଆମେ କେତେ ସୁସ୍ଥ
ଆମ ପରିବେଶ ଓ ପରିମଳ ବ୍ୟବସ୍ଥା
କେତେ ସ୍ଵଚ୍ଛ
ଆମ ଶିକ୍ଷା, କାରିଗରୀ ଜ୍ଞାନ କୌଶଳ
କେତେ ସମୃଦ୍ଧ ଆମର
ଆମେ କେତେ ସମୟାନୁବର୍ତ୍ତୀ
ଆମ ଦେଶର କର୍ମଚାରୀ କେତେ କର୍ମଠ
ଆମ ଲୋକପ୍ରତିନିଧି କେତେ
ଜନତାଙ୍କ ପ୍ରତି ଉତ୍ସର୍ଗୀକୃତ
କେତେ ଆମେ ସଭ୍ୟ କେତେ ଶିକ୍ଷିତ
କେତେ ଆମ ଜନ ଗଣଙ୍କ ଦେଶ ପ୍ରେମ
କାୟମନୋବାକ୍ୟ ଆମ କେତେ ଶୃଙ୍ଖଳିତ
ଆମେ ଜୀବନ ଶୈଳୀ କେତେ ତ୍ୟାଗ ପୂତ
ବିଚାର କରିବା ସମୟ ହୋଇଛି ଉପନୀତ
ଆସ ବିଚାର କରିବା ବିଚାର କରିବା ଆସ ।