ଆର୍ତ୍ତ ଚିତ୍କାର
ଆର୍ତ୍ତ ଚିତ୍କାର
ଜୀବନେ ବିପଦ ଘୋଟି ଆସେ ଯେବେ
ଶୁଭେ ଯେ ଆର୍ତ୍ତ ଚିତ୍କାର
ଛାତି ଥରି ଉଠେ ନା କଥା ସ୍ଫୁରେ
ମାଡୁ ଥାଏ ବେଶୀ ଡର ।
ରୁହ ରୁହ ବୋଲି କହିବା ବେଳକୁ
ସବୁ ସରି ଯାଇ ଥାଏ
ନିମିଷେ ମଧ୍ୟରେ ସୁନାର ସଂସାର
ଆପେ ଶେଷ ହେଇ ଯାଏ ।
ଆର୍ତ୍ତ ଚିତ୍କାରଟି ଶୁଣା ଯାଇ ଥାଏ
ଆବାକ୍ ହୁଅନ୍ତି ସବୁ
ଜଡ ପରି ଚାହିଁ ରହି ଦେଖୁ ଥାନ୍ତି
ସେମାନେ ପରସ୍ପରକୁ ।
ବଞ୍ଚାଅ ବଞ୍ଚାଅ ଆର୍ତ୍ତ ଚିତ୍କାରଟି
ପ୍ରକମ୍ପିତ ଖାଲି ହୁଏ
ସହି ହୁଏ ନାହିଁ ସେ ବିବତ୍ସ ଦୃଶ୍ୟ
ଆଖି ଲୁହ ଝରି ଆଏ ।
ଜାଲିଆନାୱାଲବାଗ ହତ୍ୟା କାଣ୍ଡ
ଇତିହାସ ଦିଏ କହି
କେତେ ଯେ ନିରୀହ ଆର୍ତ୍ତ ଚିତ୍କାର
ରକ୍ତ ଯାଇ ଥିଲା ବହି ।
ଉଣେଇଶ ଶହ ଅଣ ତିରିଶିର
ମହାବାତ୍ୟାର ପ୍ରକୋପ
ଆର୍ତ୍ତ ଚିତ୍କାର ଯେ କେତେ ଶୁଭି ଥିଲା
ହେଇଗଲେ ବହେ ଲୋପ ।
ମେ ଦୁଇ ତାରିଖ ଶୁକ୍ରବାର ଦିନ
ବାହାନଗା ଦୁର୍ଘଟଣା
ଆଖି ସାମନାରେ ଘଟି ଗଲା ତାଙ୍କ
ହେଇଗଲେ ସବୁ ବଣା ।
ହସ ଖୁସି ସବୁ କ୍ଷଣିକେ ଲିଭିଲା
ଭିଜି ଗଲେ ରକତରେ
ରକ୍ତ ରଞ୍ଜିତ ହୋଇଲା ଧରିତ୍ରୀ
ସ୍ତବ୍ଧ ଆର୍ତ୍ତ ଚିତ୍କାରରେ ।
ଖୁସି ଯିଏ ଦିଏ ଲୁହ ଭରି ଦେଲା
ଜୀବନ ବି ସିଏ ନେଲା
ଚାହୁଁ ଚାହୁଁ ସେଠି କୁଢ କୁଢ ଶବ
ମଶାଣୀ ପାଲଟି ଗଲା ।
ଲୌହ ଦାନବ ଏ କରମଣ୍ଡଳଟି
ଖଣ୍ଡ ବିଖଣ୍ଡିତ ହେଲା
ଆର୍ତ୍ତ ଚିତ୍କାରରେ ଗଗନ ପବନ
ସ୍ତମ୍ଭୀଭୂତ ହୋଇଗଲା ।
ଜୀବନର ଖୁସି ଜୟ ଯାତ୍ରା ସେଠି
ଶେଷ ଯାତ୍ରା ଗଲା ହେଇ
ବାହାନଗା ହାଇସ୍କୁଲ ଭୂତଖାନା
ହୋଇଲା ମଶାଣୀ ଭୂଇଁ ।
ସେ ଆର୍ତ୍ତ ଚିତ୍କାର ନ ସରିବା ପୂର୍ବରୁ
ଘଟେ ରେଳ ଦୁର୍ଘଟଣା
ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲନ୍ତି
ସର୍ବେ ହୋନ୍ତି ବୁଦ୍ଧି ବଣା ।
ସୂର୍ଯ୍ୟଙ୍କ ପ୍ରଖର ପ୍ରଚଣ୍ଡ ଉତ୍ତାପେ
ଅସହ୍ୟ ଯନ୍ତ୍ରଣା ହୁଏ
ଡହଳ ବିକଳ ହେଉଥାନ୍ତି ସବୁ
ନା ସେ କଷ୍ଟ ସହି ହୁଏ ।
ଆର୍ତ୍ତ ଚିତ୍କାରରେ ଫାଟି ପଡେ ମହୀ
ହୁଅନ୍ତି ସର୍ବେ ବିକଳ
ଆକାଶକୁ ଚାହିଁ ବିକଳେ କୁହନ୍ତି
ଦିଅ ହେ ବରଷା ଜଳ ।
ଗଛ କାଟି ଅଛୁ ଯନ୍ତ୍ରଣା ପାଉଛୁ
କଷ୍ଟ ସମସ୍ତେ ପାଇଲେ
ସହି ନ ପାରିଣ ଡହଳ ବିକଳେ
ନର ଚିନ୍ତା କରେ ଭଲେ ।
ଅସହ୍ୟ ତାତିରେ ଏ ଜୀବ ଜଗତ
କରୁଛି ଆର୍ତ୍ତ ଚିତ୍କାର
ଗଛ ଲଗାଇବୁ ଏଥର ଆମକୁ
ରକ୍ଷା କର ଚକ୍ରଧର ।
ଅନ୍ୟାୟ ଅସତ୍ୟ ଅଧର୍ମର ପାଇଁ
ଭୋଗିବାକୁ ପଡୁ ଅଛି
ସାରା ବିଶ୍ବ ଆଜି ତ୍ରାହି ତ୍ରାହି ବୋଲି
ଆର୍ତ୍ତ ଚିତ୍କାର କରୁଛି ।