ଆଞ୍ଜୁଳାଏ ରଙ୍ଗ
ଆଞ୍ଜୁଳାଏ ରଙ୍ଗ
ଆଞ୍ଜୁଳାଏ ରଙ୍ଗ ଥିଲା
ତାଙ୍କ ହାତରେ।
ମୋ ମନରେ କିନ୍ତୁ ଥିଲା
ଅସୁମାରୀ ସ୍ବପ୍ନ।
ଅଲାଜୁକି ମୁଁ ଭାବୁଥିଲି
ମୋ ଗାଲରେ ଓ ଓଠରେ
ବୋଳି ଦିଅନ୍ତେ କି ସବୁ ରଙ୍ଗ।
ଆଉ ଜଡେଇ ଧରନ୍ତେ
ତାଙ୍କ ପ୍ରଶସ୍ତ ବକ୍ଷରେ ......
ହେଲେ ଇଏ ଚଳଚ୍ଚିତ୍ରର ପରଦା ନୁହେଁ
ଇଏ ବାସ୍ତବ ଜୀବନ।
ସମାଜର ଆଖି, ଲଜ୍ଜା, ସମ୍ମାନ ଓ
ସଂକୋଚକୁ ଧରି ଏଠି ଚାଲିବାକୁ ହୁଏ।
ସ୍ବପ୍ନ ଝାପସା ହୋଇ ଆସିବା ବେଳେ
ସଭିଁଙ୍କ ଅଜାଣତରେ ତାଙ୍କ ହାତରୁ
ରଙ୍ଗ ଲାଗି ସାରିଥିଲା ମୋ ଚିବୁକରେ।
ମୁଁ କାଷ୍ଠ ପ୍ରାୟ ପାଲଟି
ଏକ ଲୟରେ ସେ ଯାଉଥିବା ଦିଗକୁ ଚାହିଁ ରହିଥିଲି।
ସିଧା ଘରମୁହାଁ ହୋଇ
ଆଞ୍ଜୁଳାଏ ପ୍ରୀତିର ରଙ୍ଗକୁ ଦର୍ପଣରେ ଦେଖି
ଆନମନା ହେଉଥିଲି।
ଭାବୁଥିଲି ତୁମ ହାତ ବୋଳା ଏ ଫଗୁର ରଙ୍ଗ
ଏମିତି ହିଁ ମୋତେ ଜଡେଇ ଧରି ଥାଉ।
