ଆମେରେ ଆଣିବା ନୂଆ ସକାଳ
ଆମେରେ ଆଣିବା ନୂଆ ସକାଳ
ମରତମଣ୍ଡଳେ ଜନମି ସକଳେ
ହୃଦେ ଇଚ୍ଛାଶକ୍ତି ଧରି ପ୍ରବଳ
ପ୍ରଚେଷ୍ଟା ଉଦ୍ୟମ କର୍ମେ ତୋଳି ପ୍ରେମ
ଆମେରେ ଆଣିବା ନୂଆ ସକାଳ
ଆମ ପରିବେଶ ଜୀବନେ ସରସ
ଭରିଦେଇଥାଏ କେତେକେଜାଣି
ତାହାର ଶୁଦ୍ଧତା ପାଇଁ ଯେତେ ବାର୍ତ୍ତା
ପ୍ରତି ହୃଦକ୍ଷେତେ ଦେବାରେ ବୁଣି ।
ଜ୍ଞାନ କୌଶଳର କରି ଉପଯୋଗ
ଯେତେ ବର୍ଯ୍ୟବସ୍ତୁ ପୁନଃ ବିକାଶ
ସଉନ୍ଦର୍ଯ୍ୟ ଭରି ମାନକୁ ବଢ଼ାଇ
ଦେଖଣାହାରୀଙ୍କୁ କରିବା ତୋଷ ।
ବୃକ୍ଷ ରୋପଣରେ ନିବେଶି ମନକୁ
ସର୍ଜନା କରିବା ନୂଆ ଜଙ୍ଗଲ
ବିଷବାଷ୍ପ ଶୋଷି ଦେବେ ଅମ୍ଳଜାନ
ପରମ ମିତ୍ର ସେ ନାହିଁ କେ ତୁଲ ।
ଯେତେ ବୃଦ୍ଧାଶ୍ରମ ହଟାଇବା ଦେଶୁ
ଦେବ ସମ ପୂଜି ପିତାମାତାଙ୍କୁ
ଅସହାୟ ବନ୍ଧୁ ପରିଜନ ଅବା
ଅଜଣା ବି କେହି ସେବିବା ତାଙ୍କୁ ।
ଅନାଥାଶ୍ରମର ଅନାଥ ପିଲାଙ୍କୁ
ଆପଣାପଣରେ ନେବା କୋଳେଇ
ଶିକ୍ଷା ସଂସ୍କାରରେ ଆଗୁଆ ରହିରେ
ଆମକୁ ସେମାନେ ଭୁଲିବେ ନାହିଁ ।
ପର ଆପଣାର ବିଭେଦ ବିଚାର
ଧରିବା ନାହିଁ ବି ମନରେ କେହି
ସ୍ବଚ୍ଛ ହୃଦୟରେ ପାବନ ମନରେ
ତୋଷିବା ମଧୁର ବଚନ କହି ।
ଛଳନା କପଟ କରିବାନି ଭେଟ
ଈର୍ଷା ହିଂସା ସ୍ବାର୍ଥଠାରୁ ଦୂରେଇ
ସତ୍ୟ ଧର୍ମ ନ୍ୟାୟ ଗୁଣର ସୁବାସେ
ହୃଦୟୁ ହୃଦୟକୁ ମହକାଇ ।
ଚିତ୍ତ ସଂଯମତା ଆମର କ୍ଷମତା
ସବୁକ୍ଷେତ୍ରେ ମନୋବଳ ବଢ଼ାଇ
ପହଞ୍ଚାଇ ଦେବ ସେହି ଲକ୍ଷ୍ୟପଥେ
ନୂତନ ସୂରୂଜ ଉଦୟ ପାଇଁ ।
ଯାହା ଚିନ୍ତୁଥିବା ପୂର୍ବୁ ବିଭୁ ନାମ
ସୁମରଣା କରି ଭକ୍ତି ସହିତ
ଆଶୀର୍ବାଦ ନେବା ପିତାମାତା ଗୁରୁ
ଗୁରୁଜନଠାରୁ ହରଷ ଚିତ୍ତ ।
ଡେରି ହେବ ନାହିଁ ନୂଆ ସକାଳର
ଅଜ୍ଞାନ ତିମିର ଆଡେଇ ଦେଇ
ଉଜ୍ଜ୍ବଳି ଉଠିବା ସକଳେ ଆମେରେ
ପ୍ରଭାତୀ ପ୍ରଶାନ୍ତି ସଙ୍ଗୀତ ଗାଇ ।।
