STORYMIRROR

Binodini Dash

Inspirational

4  

Binodini Dash

Inspirational

ତୁମେ ଯଶୋଦାର ନା ଦେବକୀର

ତୁମେ ଯଶୋଦାର ନା ଦେବକୀର

1 min
323


କଂସ ବନ୍ଦୀ ଘରେ ଦେବକୀ କୋଳରେ

ଜନମ ରାତ୍ରୀ ବର୍ଷଣମୁଖର

ବଢ଼ିଲ ଗୋପରେ ଯଶୋଦା କୋଳରେ

ତୁମେ ଯଶୋଦାର ନା ଦେବକୀର ?

କୁହ କଳା କାହ୍ନୁ ତୁମେ କାହାର ?

ଗରଭ ଯନ୍ତ୍ରଣା ଜଣେ ସହ୍ୟ କଲା

ଜଣେ ପାନ ବାଲ୍ୟାମୃତ ତୁମର ।


ଦୁହେଁ କୋଟିଜନ୍ମ ତପସ୍ଯାର ଫଳେ

ପୁତ୍ର ରୂପେ ତୁମକୁ ପ୍ରାପ୍ତ କଲେ

କେତେ ପୂଣ୍ୟବଳ କେଡ଼େ ସଉଭାଗ୍ୟ

ହେ ଲୀଳାମୟ କୋଳେ ବିରାଜିଲେ

ତୁମ ମାତା ରୂପେ ସ୍ଥାନ ମହୀରେ

ଧନ୍ୟ ସେ ଦେବକୀ ଧନ୍ୟ ଯଶୋମତୀ

ଚିର ଅମଳିନ କାଳ ବକ୍ଷରେ ।


ରାଧିକା ମୋହନ ଗୋପିକା ବଲ୍ଲଭ

ବାଲ୍ୟସାଥୀଙ୍କର ପ୍ରାଣର ଧନ

ମୋହନ ବଂଶୀର ମଧୁର ମୂର୍ଚ୍ଛନା

ବିମୋହିତ କରି ସକଳ ମନ

ଦିଏ ସକଳଙ୍କୁ ପ୍ରୀତି ଚୁମ୍ବନ

ତୁମେ ପ୍ରେମମୟ ତୁମରି ପରଶେ

ନାଚନ୍ତି ଗୋ ବତ୍ସା ସେ ବୃନ୍ଦାବନ ।


ପୁଣି ଅଶ୍ରୁଜଳେ ଭିଜାଇ ସକଳେ

ଛାଡ଼ି ଚାଲିଗଲ ବ୍ରଜପୁରକୁ

କର୍ମ ଯୁଦ୍ଧ ପାଇଁ ଆଗୁସାର ହୋଇ

ନାଶିବାକୁ ମାମୁ କଂସାସୁରକୁ

ଦେବକୀ ମୁଖେ ହସ ଭରିବାକୁ

କୋହାନଳେ ଘାରି ହୁଅଇ ଯଶୋଦା

ମାତୃତ୍ବ ବିଳପେ ଚିର କାଳକୁ ।


ଅଷ୍ଟ ପାଟବଂଶୀ, ଷୋହଳ ସହସ୍ର

ଏକଶତ ପତ୍ନୀ ତୁମର ଥିଲେ

ଦଶ ପୁତ୍ର ଏକ କନ୍ୟା ଦେଇଥିଲ

ପ୍ରତ୍ୟେକଙ୍କୁ ଧରିବାକୁ କୋଳରେ

କେବଳ ତାଙ୍କର ପୂଣ୍ୟ ବଳରେ

ସଂସାର କରି ବି ସଂସାରୀ ନଥିଲ

ତୁମେ ଯୋଗେଶ୍ବର ଶ୍ରେଷ୍ଠ ମହୀରେ ।


ମାତା ପିତା ଅବା ପତ୍ନୀ ପୁତ୍ର କନ୍ୟା

ପରିବାର ବନ୍ଧୁ ବା ସହୋଦର

ପ୍ରମାଣ କରିଲ ତୁମେ ନୁହେଁ କା'ର

ତୁମେ ହିଁ କେବଳ ଧର୍ମାବତାର

ଶୁଣିଥାଅ କର୍ଣ୍ଣେ ଭକତ ଗିର

ପାପୀର ବିନାଶ ଧର୍ମ ସଂସ୍ଥାପନା 

କରିବା ହେଉଛି ଲକ୍ଷ୍ୟ ତୁମର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational